ରାୟଗଡ, ୨୨.୧୧.୨୦୨୬: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ରାୟଗଡ ସହରର ଶାସ୍ତ୍ରୀ ନଗରସ୍ଥ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ରାୟଗଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ସ୍ମୃତି ପ୍ରତି ଶ୍ରଦ୍ଧା ଜଣାଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବୀନ୍ଦ୍ର ନାଥ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଦେଶପ୍ରେମ, ସାହସ, ତ୍ୟାଗ ଓ ସ୍ୱାଧୀନତା ପ୍ରତି ତାଙ୍କର ଅଦମ୍ୟ ନିଷ୍ଠାକୁ ସ୍ମରଣ କରିଥିଲେ। ଏହା ସହିତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିହାର ରଞ୍ଜନ କହଁର, ଶିକ୍ଷାବିତ୍ ଶ୍ରୀ ଦୁଷ୍ମନ୍ତ ମହାନ୍ତି, ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀ ଜଳନ୍ଧର ପୁଷିକା, ସଭାପତି ଓକିଲ ସଂଘ ଶ୍ରୀ ବ୍ରଜ ସୁନ୍ଦର ନାୟକ, ବୁଦ୍ଧିଜୀବୀ ଶ୍ରୀ ବି. କାନ୍ତ ରାଓ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ୱାକର୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଶହୀଦ ଲକ୍ଷ୍ମଣ ନାୟକ ଥିଲେ ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଦିବାସୀ ସମାଜର ଅନ୍ୟତମ ପ୍ରେରଣାଦାୟୀ ଜନନାୟକ। ବ୍ରିଟିଶ ଶାସନର ଅନ୍ୟାୟ, ଶୋଷଣ ଓ ଅତ୍ୟାଚାର ବିରୋଧରେ ସେ ନିର୍ଭୀକ ଭାବେ ସ୍ୱର ଉଠାଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଅହିଂସା ଆନ୍ଦୋଳନରୁ ପ୍ରେରିତ ହୋଇ ସେ ଆଦିବାସୀ ସମାଜକୁ ସଂଗଠିତ କରି ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ କରିଥିଲେ। ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ତାଙ୍କର ସଂଗ୍ରାମୀ ଭୂମିକା ତାଙ୍କୁ ଜନମାନସରେ ଏକ ଅମର ପ୍ରତୀକ ଭାବେ ପରିଚିତ କରାଇଥିଲା। ଦେଶର ସ୍ୱାଧୀନତା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ତାଙ୍କର ଆତ୍ମବଳିଦାନ ଆଜି ମଧ୍ୟ ଯୁବପିଢ଼ିକୁ ଦେଶପ୍ରେମ, ନ୍ୟାୟ, ସାହସ ଓ ସାମାଜିକ ଦାୟିତ୍ୱବୋଧର ମାର୍ଗରେ ପ୍ରେରଣା ଯୋଗାଇ ଆସୁଛି।
ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିରେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ, ଆଦର୍ଶ ଓ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଦେଶପ୍ରେମ ଓ ଜାତୀୟ ଚେତନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଥିଲା।
କାର୍ଯ୍ୟକ୍ରମଟି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀଙ୍କ ସଂଯୋଜନାରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଉପସ୍ଥିତ ଅତିଥିମାନେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶକୁ ଆତ୍ମସାତ୍ କରି ସମାଜ ଓ ଦେଶ ପ୍ରତି ନିଜ ଦାୟିତ୍ୱ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ। ଶିକ୍ଷାବିତ ଶ୍ରୀ ଅଶୋକ କୁମାର ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
