ଓଡ଼ିଶାର କୃଷି ବ୍ୟବସ୍ଥାକୁ ସଶକ୍ତ କରିବାରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT)ର ଅବଦାନ ଦୀର୍ଘ ୬୫ ବର୍ଷର । OUATର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ସେ କହିଛନ୍ତି ଯେ ଓୟୁଏଟି କାରଣରୁ ରାଜ୍ୟର କୃଷି ଉତ୍ପାଦନ, ବିଶେଷକରି ଧାନ ଉତ୍ପାଦନ ଜାତୀୟ ହାର ଠାରୁ ଉପରକୁ ଯାଇପାରିଛି । ଚାଷୀଙ୍କ ଉତ୍ପାଦନ ଓ ଆୟକୁ ସୁରକ୍ଷା ଦେବା ସହ ଧାନ କିଣାରେ ଅନିୟମିତତା ରୋକିବା ପାଇଁ ସରକାର ପ୍ରଯୁକ୍ତିର ସହାୟତା ନେବାକୁ ଯୋଜନା କରିଛନ୍ତି ।ଧାନ ଚାଷର ବାସ୍ତବତା ଯାଞ୍ଚ ପାଇଁ ସାଟେଲାଇଟ୍ ଇମେଜର ବ୍ୟବହାର କରାଯିବ । କେଉଁ ଜମିରେ ଧାନ ଚାଷ ହୋଇଛି, କେଉଁ ଅଞ୍ଚଳ ଜଳସେଚିତ ଏବଂ କେଉଁ ଜମିରେ ରବି ଋତୁରେ ଧାନ ଚାଷ ସମ୍ଭବ ନୁହେଁ ଏସବୁ ତଥ୍ୟର ଯାଞ୍ଚ କରାଯିବ। ଅନ୍ୟ ରାଜ୍ୟରୁ ଧାନ ଆଣି ସରକାରୀ ଦରରେ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ।ସେହିପରି ରାଜ୍ୟରେ ସାରର ଅଭାବ ନଥିବା ନେଇ କୃଷିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସାର ବିକ୍ରି କେନ୍ଦ୍ର ଗୁଡ଼ିକରେ ନିୟମିତ ଯାଞ୍ଚ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜେଇ ଚାଷରେ ସାରର ବ୍ୟବହାର ହେଉଥିବା ଅଭିଯୋଗ ଉପରେ ମଧ୍ୟ ସରକାର ସଜାଗ ଥିବା କହିଛନ୍ତି କନକ ବର୍ଦ୍ଧନ ସିଂଦେଓ । ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
