ଖରାପ ରାସ୍ତାର ତୁରନ୍ତ ମରାମତି କର; ଅବହେଳା କଲେ ଆକ୍ସନ

ଚଳିତ ବର୍ଷ ହୋଇଥିବା ବ୍ୟାପକ ବର୍ଷା ଯୋଗୁଁ ରାଜ୍ୟର ଅନେକ ରାସ୍ତାଘାଟ ଖରାପ ହୋଇଛି । ଏପରିକି ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ବହୁ ରାସ୍ତା ନଷ୍ଟ ହେବା ସହ ଧୋଇ ଯାଇଛି । ତେବେ ନଷ୍ଟ ହୋଇଯାଇଥିବା ରାସ୍ତାର ତୁରନ୍ତ ମରାମତି ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଜି (ବୁଧବାର) ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନଖରା-ନିଆଳି ରାସ୍ତା, ଅଡ଼ଶପୁର-ଜଗତସିଂହପୁର ରାସ୍ତା, କଳିଙ୍ଗା ଘାଟି ରାସ୍ତା ସମେତ କୋରାପୁଟ, ଭଦ୍ରକ, ବାଲେଶ୍ୱର, କଟକ ଟାଉନ୍‌, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର, ପାରାଦୀପ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାର ମରାମତି ନେଇ ମନ୍ତ୍ରୀ ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟବାସୀଙ୍କୁ ଉତ୍ତମ ସଡ଼କ ପଥ ଯୋଗାଇ ଦେବା ଆମର ନୈତିକ ଦାୟିତ୍ୱ ଏବଂ ଏଥିରେ କୌଣସି ପ୍ରକାର ସାଲିସ୍‌ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏଥି ସହିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ନିୟମିତ ଭାବେ ନିଜ ଅଧିନରେ ଥିବା ରାସ୍ତାର ସ୍ଥିତି ଯାଞ୍ଚ କରି ପ୍ରତି ୧୫ ଦିନରେ ରିପୋର୍ଟ ପ୍ରଦାନ କରିବେ । ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉପସ୍ଥିତ ରହି କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବେ । ଏଥି ସହିତ ଖରାପ କାମ କରୁଥିବା ଠିକା ସଂସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ