ଆସନ୍ତା ୨୮ ତାରିଖରେ ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ଠାରେ ପ୍ରଦାନ କରାଯିବାକୁ ଥିବା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ନୂଆଦିଲ୍ଲୀରେ ସାକ୍ଷାତ କରି ଅବଗତ କରିଛନ୍ତି।ଏହି ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଏକ ଅର୍ଥପୂର୍ଣ୍ଣ ତଥା ସକାରାତ୍ମକ ଆଲୋଚନା ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି।ସେ ଉଲ୍ଲେଖ କରିଛନ୍ତି ଯେ, ଆଲୋଚନା ସମୟରେ ମୁଖ୍ୟତଃ ଓଡ଼ିଶାର ସାମଗ୍ରିକ ବିକାଶ, ବିଶ୍ୱସ୍ତରରେ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଜଡ଼ିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ମିଳିଥିବା ମାର୍ଗଦର୍ଶନ ରାଜ୍ୟ ସରକାରଙ୍କ ପାଇଁ ଏକ ନୂତନ ଶକ୍ତି ଏବଂ ଦୃଢ଼ତାର ଉତ୍ସ ପାଲଟିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ଏକ ନୂତନ ଆତ୍ମବିଶ୍ୱାସ, ନୂଆ ଗତି ଏବଂ ନୂତନ ସଂକଳ୍ପ ନେଇ ରାଜ୍ୟ ସରକାର ଆଗାମୀ ଦିନରେ ନବ-ଉତ୍କଳ ତଥା ବିକଶିତ ଓଡ଼ିଶା ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
