କର୍ଣ୍ଣାଟକରେ ଚାଞ୍ଚଲ୍ୟ, ହ୍ରଦରେ ଭାସି ଆସିଲା ମାଆ ସହ 5 ପିଲାଙ୍କ ମୃତଦେହ

ଉତ୍ତର କର୍ଣ୍ଣାଟକର ବିଜୟପୁରା ସହରରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜୟପୁରା ସହର ବାହାରେ ଥିବା ଭୂତାନାଲ ହ୍ରଦରୁ ବୁଧବାର ଜଣେ ମହିଳା ଓ ତାଙ୍କର ପାଞ୍ଚଟି ପିଲାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ହୁଏତ ଏହା ଆତ୍ମହତ୍ୟା ମାମଲା ହୋଇଥାଇପାରେ।ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏବେ ବି ରହସ୍ୟମୟ ହୋଇ ରହିଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକମାନେ ହେଲେ ବିଜୟପୁରା ଜିଲ୍ଲାର ତୋରାଭି ଗାଁର ଶୋଭା ମଲ୍ଲିକାର୍ଜୁନା ଜାଲାଗେରି (35) ଏବଂ ତାଙ୍କ ସନ୍ତାନ ବିଦ୍ୟା (15 ବର୍ଷ), ସୁଭର୍ନା (13), ଟିପରାୟା (12), ସାନିକା (10) ଏବଂ ବିକାଶ (6) ବୋଲି ଜଣାପଡିଛି ।ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,ଗତ ସୋମବାର ଅର୍ଥାତ୍ ଅଗଷ୍ଟ ୨୪ ତାରିଖ ଦିନ ବିଜୟପୁରା ଗ୍ରାମୀଣ ପୋଲିସ ଷ୍ଟେସନରେ ମଲ୍ଲିକାର୍ଜୁନ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଖୋଜାଖୋଜି ଜାରି ରଖିଥିଲା । ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପତ୍ନୀ ଶୋଭା ପାରିବାରିକ କଳହ ପରେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ ବୋଲି ।ଆଦର୍ଶ ନଗର ପୋଲିସ ସୂଚନା ଦେଇଛି ଯେ,ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ସେମାନେ ହ୍ରଦ ଭିତରେ କିପରି ପଡ଼ିଲେ ତାହାର ତଦନ୍ତ ଚାଲିଛି । ପୋଲିସ ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ BLDE ହସ୍ପିଟାଲକୁ ପଠାଯାଇଛି ।ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ଅଧିକ ପଢନ୍ତୁ