ନେପାଳରୁ ଭାସି ଆସୁଛି ସାମଗ୍ରୀ ! ଆଣିବାକୁ ଗଣ୍ଡକ ନଦୀ କୂଳରେ ଲୋକଙ୍କ ଭିଡ

ନେପାଳରେ ଆସିଥିବା ଜଳ ପ୍ରଳୟରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏବେବି ହଜାର ହଜାର ଲୋକ ଫସିଥିବା ଆଶଙ୍କା କରାଯାଉଛି। ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି।ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବେ ବିହାରର ଗଣ୍ଡକ ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ବଡ଼ କଥା ହେଲା ନିଜ ଜୀବନକୁ ବାଜି ଲଗାଇ ସ୍ଥାନୀୟ ବାସିନ୍ଦା ଉଛୁଳା ନଦୀ ଗର୍ଭରେ ପଶୁଛନ୍ତି। ଆଉ ଏଭଳି କରିବାର କାରଣ ହେଉଛି ନେପାଳରୁ ଭାସି ଆସୁଥିବା କାଠ, ଗ୍ୟାସ ସିଲିଣ୍ଡର ଏବଂ ବିଭିନ୍ନ ଗୃହୋପକରଣ ସାମଗ୍ରୀ ସଂଗ୍ରହ କରିବା ପାଇଁ ଏହି ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେ ପ୍ରତିଯୋଗିତା ଚାଲିଛି। ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଲ୍ମୀକିନଗର, ବଗହା ଏବଂ ମଧୁବନୀ ଭଳି ଅଞ୍ଚଳରେ ଗୁରୁବାର ସକାଳୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଲୋକେ ଟ୍ୟୁବ୍ ଏବଂ ଛୋଟ ଡଙ୍ଗା ସାହାଯ୍ୟରେ ନଦୀ ମଝିକୁ ଯାଇ ଭାସି ଆସୁଥିବା ସାମଗ୍ରୀ କୂଳକୁ ଆଣୁଛନ୍ତି। କିଛି ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ବିଭିନ୍ନ ଘାଟରୁ ଏପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଅଧିକ ଏଲପିଜି ଗ୍ୟାସ ସିଲିଣ୍ଡର ଉଦ୍ଧାର କରାଯାଇ ସାରିଲାଣି। ଏହି ସାମଗ୍ରୀଗୁଡ଼ିକୁ ଲୋକେ ନିଜ ଘରୋଇ ବ୍ୟବହାରରେ ଲଗାଉଛନ୍ତି କିମ୍ବା ବଜାରରେ ବିକ୍ରି କରି ଦେଉଛନ୍ତି।ଅବଶ୍ୟ ଏଭଳି ଦୁଃସାହସିକ କାର୍ଯ୍ୟ ଯୋଗୁ କୌଣସି ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ସତର୍କତା ଦୃଷ୍ଟିରୁ ସ୍ଥାନୀୟ ଏସଡିଏମ ଚାନ୍ଦନୀ କୁମାରୀ ଜନସାଧାରଣଙ୍କୁ ନଦୀ କୂଳକୁ ନଯିବା ପାଇଁ ସତର୍କ କରାଇ ଦେଇଛନ୍ତି। ବିନା କାରଣରେ ନଦୀକୁ ଓହ୍ଲାଉଥିବା ଲୋକଙ୍କୁ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ