ଏନଏସି ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସୁସ୍ଥ ଶରୀର ପାଇଁ ଶାରୀରିକ ଶିକ୍ଷାର ମହତ୍ତ୍ୱ ବାର୍ତ୍ତା ପ୍ରଚାର କରିବା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଶିକ୍ଷକ ଉମାକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଏବଂ ଦେଶ ପାଇଁ ତାଙ୍କର ଅବଦାନ ବିଶେଷକରି ୧୯୨୮ (ଆମଷ୍ଟରଡାମ୍), ୧୯୩୨ (ଲସ୍ ଏଞ୍ଜେଲସ୍) ଏବଂ ୧୯୩୬ (ବର୍ଲିନ୍) ଅଲିମ୍ପିକ୍ସରେ ଭାରତକୁ ହକିରେ ସ୍ୱର୍ଣ୍ଣ ପଦକ ବିଜୟୀ କରାଇବାରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଦିବସର ତାତ୍ପର୍ଯ୍ୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଅଧିକ ପଢନ୍ତୁ