ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ଓଡ଼ିଶାରେ ସ୍ବାୟତ୍ତ ଶାସନ ଦିବସ (Local Self-Government Day) ଭାବେ ପାଳନ କରାଯାଏ।ଏହି ଅବସରରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭାରତୀୟ ଗଣତନ୍ତ୍ରର ମୂଳଦୁଆ ସ୍ଥାନୀୟ ସ୍ବାୟତ୍ତ ଶାସନ ଉପରେ ପ୍ରତିଷ୍ଠିତ। ଏହି ଦିବସ ଆମକୁ ସ୍ମରଣ କରାଇଦିଏ ଯେ ବିକାଶର ପ୍ରକୃତ ସଂଜ୍ଞା କେବଳ ଭୌତିକ ଭିତ୍ତିଭୂମିର ନିର୍ମାଣ ନୁହେଁ, ବରଂ ନାଗରିକଙ୍କ ଆବଶ୍ୟକତା, ଅଭିଳାଷ ଓ ସହଭାଗିତାରେ ଏକ ଆତ୍ମନିର୍ଭରଶୀଳ ସମାଜ ଗଠନ କରିବା। ଆମର ସହର ଓ ନଗରଗୁଡ଼ିକ ହେଉଛି ତୃଣମୂଳ ଗଣତନ୍ତ୍ରର ସବୁଠାରୁ ଜୀବନ୍ତ ତଥା ସ୍ପନ୍ଦନଶୀଳ ଅଭିବ୍ୟକ୍ତି।ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସଫେଇ କର୍ମଚାରୀ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯିବ ।
ଏହା ସହିତ ନୂତନ ପାନୀୟ ଜଳ ପ୍ରକଳ୍ପ, ସ୍ୱରେଜ୍ ବ୍ୟବସ୍ଥା, ଡ୍ରେନେଜ୍, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ଭଳି ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବ । ସହରାଞ୍ଚଳ ବାସିନ୍ଦାଙ୍କ ନିକଟରେ ସରକାରୀ ସୁବିଧା ଓ ସେବା ସହଜରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ସଂକଳ୍ପ ନିଆଯାଇଛି । ଲୋକଙ୍କ ସହଭାଗିତା ବିନା ସହରର ବିକାଶ ଅସମ୍ଭବ ହୋଇଥିବାରୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ସହଯୋଗ କରିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି ।ସ୍ବାୟତ୍ତ ଶାସନର ସଫଳତା କେବଳ ସରକାର କିମ୍ବା ପ୍ରଶାସନିକ ତନ୍ତ୍ର ଉପରେ ନିର୍ଭର କରେନାହିଁ, ଏହା ନାଗରିକଙ୍କ ସଚେତନତା ଓ ସକ୍ରିୟ ଅଂଶଗ୍ରହଣ ଉପରେ ପର୍ଯ୍ୟବସିତ। ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ସହରକୁ ନିଜର ପରିବାର ମନେକରି ପରିଷ୍କାର ରଖିବେ ଓ ନିୟମ ପାଳନ କରିବେ, ସେତେବେଳେ ଆମର ପ୍ରୟାସ ପୂର୍ଣ୍ଣାଙ୍ଗ ହେବ।
