ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଇଞ୍ଜିନରେ ତ୍ରୁଟି ଆଶଙ୍କା

ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି ଥିବା ଆଶଙ୍କା କରାଯାଇଥିଲା।। ଏହାପରେ ପାଇଲଟ୍ ବିମାନକୁ ପୁଣି ଗୋଆ ଅଭିମୁଖେ ଫେରାଇ ଆଣିଥିଲେ ।ଏଭିଏସନ୍ ଟ୍ରାକର ”ଫ୍ଲାଇଟରାଡାର୨୪” ଅନୁଯାୟୀ, ବିମାନଟି ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ପ୍ରାୟ ୧୪,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ଗୋଆ ଆଡ଼କୁ ମୁହାଁଇଥିଲା। ସକାଳ ୯ଟା ୫୧ ମିନିଟରେ ବିମାନଟି ରନୱେ ୨୮ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ପୂର୍ବାହ୍ନ ୧୦ଟା ୦୩ରେ ଏଟିସି ପକ୍ଷରୁ ଜରୁରୀକାଳୀନ ସ୍ଥିତି ପ୍ରତ୍ୟାହାର କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ବୋର୍ଡିଂ ଏରିଆରେ ଅପେକ୍ଷା କରିଥିବା ବେଳେ, ଅପରାହ୍ନ ୩ଟା ୩୦ରେ ସେମାନଙ୍କ ଦିଲ୍ଲୀ ଯାତ୍ରା ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଇଛି। ତେବେ ଇଞ୍ଜିନରେ କି ପ୍ରକାର ଯାନ୍ତ୍ରିକ ତ୍ରୁଟି ଘଟିଥିଲା, ସେ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ।ବର୍ତ୍ତମାନ ବିମାନର ଯାଞ୍ଚ ଚାଲିଛି । ସମସ୍ତ ଆବଶ୍ୟକ ଯାଞ୍ଚ ଓ ଅନୁମତି ମିଳିବା ପରେ ହିଁ ବିମାନଟିକୁ ପୁଣି ସେବାରେ ନିୟୋଜିତ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ