କେନ୍ଦ୍ରୀୟ ଜଳ ଶକ୍ତି ସମ୍ମିଳନୀ , ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

ଓଡ଼ିଶାର ଅର୍ଥନୀତି କୃଷି ପ୍ରଧାନ ହୋଇଥିବାରୁ ଜଳ ସୁରକ୍ଷା ଓ ସିଞ୍ଚନର ବିକାଶକୁ ଆମ ସରକାର ସବୁଠାରୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି। ଅତି କମ୍ ସମୟ ମଧ୍ୟରେ ୩,୨୦,୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବିଭାଗୀୟ ଶୀର୍ଷ ସମ୍ମିଳନୀରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।ସୂଚନାଯୋଗ୍ୟଯେ ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୭୭୦ଟି ନୂତନ ଚେକ୍ ଡ୍ୟାମ୍ ଓ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର (ISS) କାର୍ଯ୍ୟ ଶେଷ ହୋଇଥିବା ବେଳେ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି। ଏହା ସହିତ ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୨ଟି ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କ, ୬ଟି ମେଗା ଲିଫ୍ଟ ଓ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆଗାମୀ ବର୍ଷକ ମଧ୍ୟରେ ଆଉ ୧୪ଟି ISS ପ୍ରକଳ୍ପ ଏବଂ ୬ଟି ମିଡିୟମ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ। ବର୍ତ୍ତମାନ ୫ଟି ନୂଆ ମେଜର ଓ ମିଡିଅମ୍, ୫୮ଟି ମେଗା ଲିଫ୍ଟ ଏବଂ ୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ସହାୟତା ପାଇଁ ୩,୨୨୪ଟି କମ୍ୟୁନିଟି ଲିଫ୍ଟ ଇରିଗେସନ୍, ୨୦,୨୨୮ଟି ଡିପ୍ ବୋରୱେଲ୍ ଏବଂ ୮,୯୧୭ଟି ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି। ଭୂ-ଜଳ ସ୍ଥିରତା ବଜାୟ ରଖିବା ପାଇଁ ‘ଛାତ’ ଯୋଜନାରେ ୨୦,୦୦୦ ରୁଫ୍ଟପ୍ ରେନ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ଏବଂ ‘ଅରୁଆ’ ଯୋଜନାରେ ୧,୨୦୦ଟି ରିଚାର୍ଜ ସାଫ୍ଟ ସମ୍ପୂର୍ଣ୍ଣ ହୋଇଛି। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ୪୦,୦୦୦ରୁ ଊର୍ଦ୍ଧ୍ୱ ‘ପାଣି ପଞ୍ଚାୟତ’କୁ ସଶକ୍ତ କରାଯାଉଛି। ଏହିସବୁ ପଦକ୍ଷେପ ପାଇଁ ପୂର୍ବରୁ ପଞ୍ଚମ ରାଷ୍ଟ୍ରୀୟ ଜଲ୍ ପୁରସ୍କାରରେ ଓଡ଼ିଶା ‘ସର୍ବଶ୍ରେଷ୍ଠ ରାଜ୍ୟ’ ଭାବେ ଘୋଷିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅଧିକ ପଢନ୍ତୁ