ସାର କଳାବଜାରୀ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ :୧୧,୬୮୪ ଟି ସାର ଦୋକାନରେ ଚଢଉ

ସାର କଳାବଜାରୀ ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାର କଳାବଜାରୀରେ ଲିପ୍ତ ଥିବା ଅଭିଯୋଗରେ ୧୭୦ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଥିବାବେଳେ ୯୬ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି।ବିଭାଗ ପକ୍ଷରୁ ମିଳିଥବା ସୂଚନାନୁସାରେ, କୃଷି ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ, କୃଷି ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍‌ ଗଠନ କରାଯାଇଛି। କଳାବଜାରିଙ୍କ ବିରୋଧରେ ସାର ନିୟନ୍ତ୍ରଣ ଆଦେଶ ୧୯୮୫ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ୧୯୫୫ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୧୧,୬୮୪ଟି ସାର ଦୋକାନରେ ଚଢ଼ଉ କରାଯାଇଛି। ୨,୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୩୨୧ ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏହା ସହିତ, ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୧୭୦ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଥିବା ବେଳେ ୯୬ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଅନିୟମିତତାରେ ଲିପ୍ତ ୧୨ ଜଣ ଡିଲରଙ୍କ ମହଜୁଦ ଥିବା ସାରକୁ ଜବତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।ଚଳିତ ଖରିଫ ୨୦୨୬–୨୭ ଋତୁରେ କୃଷକମାନଙ୍କୁ ସାରର ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ସାରର କଳାବଜାରୀ ଓ ବେଆଇନ ଚାଲାଣକୁ ରୋକିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ସାରର କଳାବଜାରୀ, ମହଜୁଦକରଣ ଏବଂ ନିମ୍ନମାନର ସାର ଯୋଗାଣ ଭଳି ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି।

ରାଜସ୍ୱ ବିଭାଗ, କୃଷି ବିଭାଗ ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ଦଳଗୁଡ଼ିକ କୃଷି ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ପାଇକାରୀ ଓ ଖୁଚୁରା ସାର ଦୋକାନରେ ନିୟମିତ ଚଢ଼ାଉ କରୁଛନ୍ତି।

ଅଧିକ ପଢନ୍ତୁ