FCI ଆଗରେ ମନ୍ତ୍ରୀ ଅସହାୟ । ଯୋଗାଣ ମନ୍ତ୍ରୀଙ୍କ କଥା ଶୁଣୁନି ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ । ଏ କଥାକୁ ନିଜେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ବୀକାର କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଘେରିଛି ବିଜେଡି । ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତିଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ବିଜେପି ସରକାର ଉପରେ ବର୍ଷିଛନ୍ତି ।ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉନାହିଁ, କିନ୍ତୁ ଅନ୍ୟ ରାଜ୍ୟ ମାନଙ୍କୁ ବିଶେଷ ପ୍ରୋତ୍ସାହନ ଦେଉଛି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ପ୍ରଗତି ଦୁଇ ଗୁଣିତ ହେବ ବୋଲି ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ମିଥ୍ୟା ପ୍ରମାଣିତ ହୋଇଛି । ଚାଷ ଆରମ୍ଭରୁ ଚାଷୀମାନେ ସାର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନ ପଞ୍ଜିକରଣରେ ଅବ୍ୟବସ୍ଥା, ମଣ୍ଡିରେ କଟନି ଛଟନିର ଶିକାର, ମଣ୍ଡିରେ ମିଲର୍ ମାନଙ୍କ ଅରାଜକତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀକୂଳ । ବର୍ତ୍ତମାନ ଏଫସିଆଇ ଓଡ଼ିଶାରୁ ଚାଉଳ ନ ଉଠାଇବା ଯୋଗୁଁ ରାଜ୍ୟବ୍ୟାପୀ ଅଚଳାବସ୍ଥା ସୃଷ୍ଟି ହୋଇଛି । ଯାହାକୁ ଆଗାମୀ ଦିନରେ ମଣ୍ଡିରେ ଧାନ କ୍ରୟ ସମୟରେ ଗୁରୁତର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ସଞ୍ଜୟ ଦାସବର୍ମା କହିଛନ୍ତି, ଯୋଗାଣ ମନ୍ତ୍ରୀ ଯେଉଁ ଭୟଙ୍କର କଥାକୁ ସ୍ୱୀକାର କରିଛନ୍ତି ତାକୁ ଓଡିଶା ବିଧାନସଭାରେ ଉଠାନ୍ତୁ । ଓଡ଼ିଶା ଲୋକେ ଜାଣିଥିଲେ ଆଳୁ ଉପରେ ତାଙ୍କର ଅଭିଜ୍ଞତା କଣ, ଏଵେ ଚାଉଳ କଥା କହିଲେଣି । ପରିସ୍ଥିତି ଏମିତି ହୋଇଛି ଯେ ଯଦି FCI ଚାଉଳ ନଉଠାଉଛି, ତେବେ ଆଗାମୀ ଦିନରେ ଅର୍ଥାତ୍ ଖରିଫ୍ ଅମଳ ବେଳେ ଧାନ ରଖିବାକୁ କେଉଁଠି ଜାଗା ନଥିବ । ଯୋଗାଣ ମନ୍ତ୍ରୀ କହିଛନ୍ତି ଆମେ ହାତ ବାନ୍ଧିକି ବସିଛୁ । ଆର୍ଥାତ୍ FCIର ଜଣେ ଜେନେରାଲ ମ୍ୟାନେଜରଙ୍କ ଆଗରେ ହାତ ଟେକିଦେଲେ ମନ୍ତ୍ରୀ । ତାଙ୍କର ସାହସ ନାହିଁ ଦିଲ୍ଲୀରେ କହିବା ପାଇଁ ।
