୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପାଲାମ ବିମାନବନ୍ଦରରେ ରୁଷିଆର ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।୨୦୨୨ ଫେବୃଆରୀରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ବାହାରେ ଏହା ପୁଟିନଙ୍କ ପ୍ରଥମ ପ୍ରତ୍ୟକ୍ଷ ବ୍ରିକ୍ସ ସମ୍ମିଳନୀ ଗସ୍ତ।ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା ଓ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଚର୍ଚ୍ଚା ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରୀ ପେସକୋଭଙ୍କ ସୂଚନାନୁସାରେ, ବ୍ରାହ୍ମୋସ କ୍ଷେପଣାସ୍ତ୍ରର ଆଧୁନିକୀକରଣ, ଏସ୍-୪୦୦ ବାୟୁ ପ୍ରତିରୋଧ ପ୍ରଣାଳୀର ବାକି ଯୋଗାଣ ଏବଂ ସୁ-୫୭ ଯୁଦ୍ଧବିମାନ ଯୋଗାଣ ନେଇ ଆଲୋଚନା ଚାଲିଛି। ଏହାଛଡ଼ା ଭାରତରେ ନୂତନ ବେସାମରିକ ପରମାଣୁ ରିଆକ୍ଟର ସ୍ଥାପନ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ସମ୍ପର୍କରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯିବ। ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
