ଇଣ୍ଡୋନେସିଆ ଫେରିପାରନ୍ତି ଓରଙ୍ଗଉଟାନ। ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଫେରାଇ ନେବାକୁ ଚିଠି ଲେଖିଛି ଇଣ୍ଡୋନେସିଆ ।ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଭୋଗରାଇ/ଉଦୟପୁର ବ୍ଲକ୍ ନିକଟ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜଙ୍ଗଲରୁ ବନ ବିଭାଗ ୫ଟି ଶିଶୁ ଓରାଙ୍ଗଉଟାନ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କ ବୟସ ପ୍ରାୟ ୧ରୁ ୧.୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ଉଦ୍ଧାର ସମୟରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇ ଚିକିତ୍ସା ଓ ଯତ୍ନ ନିଆଯାଉଛି। ତେବେ ବାଲେଶ୍ୱର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଇଣ୍ଡୋନେସିଆ ସରକାର । ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ଶାବକମାନଙ୍କ ଉତ୍ସ ଯାଞ୍ଚ ସହ ସେମାନଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ପ୍ରକ୍ରିୟା ଚାଲିଥିବା ଇଣ୍ଡୋନେସିଆ ସରକାର କହିଛନ୍ତି । ପ୍ରାଥମିକ ଶାରୀରିକ ଓ ଆକୃତିଗତ ଯାଞ୍ଚରୁ ଏହି ଶାବକମାନେ ସୁମାତ୍ରାର ଓରାଙ୍ଗଉଟାନ୍ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଇଣ୍ଡୋନେସିଆ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ପ୍ରାଥମିକ ଅନୁମାନ। ଡିଏନ୍ଏ ପରୀକ୍ଷା ପରେ ହିଁ ସେମାନଙ୍କ ପ୍ରଜାତି ଓ ଜେନେଟିକ୍ ଉତ୍ସ ସମ୍ପର୍କରେ ନିଶ୍ଚିତ ହୋଇପାରିବ। ଏହି ଘଟଣାର ତଦନ୍ତ ଓ ଶାବକମାନଙ୍କୁ ଫେରାଇ ନେବା ପାଇଁ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତର CITES ମ୍ୟାନେଜମେଣ୍ଟ ଅଥରିଟି, ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ, ଭାରତରେ ଥିବା ଇଣ୍ଡୋନେସିଆ ଦୂତାବାସ, BRIN ଏବଂ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରୁଛି ।
