ମହିଳା ବାଇକ୍‌ ରାଇଡରଙ୍କୁ ଧକ୍କା ଦେଇ ଫେରାର ହୋଇଗଲେ ମଦ୍ୟପ କାର୍‌ ଚାଳକ

ହରିୟାଣାର ଗୁରୁଗ୍ରାମ ସ୍ଥିତ ଗଲ୍ଫ କୋର୍ସ ରୋଡରେ ଜଣେ ମହିଳା ବାଇକରଙ୍କ ସହ ଘଟିଥିବା ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ କାର୍ ଚାଳକ ମହିଳା ବାଇକରଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ ଦେଇ ଶେଷରେ ତାଙ୍କ ବାଇକକୁ ଜୋରଦାର ଧକ୍କା ମାରି ଫେରାର ହୋଇଯାଇଛି । ଏହି ସମଗ୍ର ଘଟଣା ମହିଳାଙ୍କ ବାଇକ୍ କ୍ୟାମେରାରେ କଏଦ ହୋଇଛି ।ଆହତ ମହିଳା ବାଇକର ସିଆ ନିଜ ସାଥୀ ବାଇକରମାନଙ୍କ ସହ ରବିବାର ରାଇଡିଂରେ ବାହାରିଥିଲେ। ସେହି ସମୟରେ ଏକ ସେଡାନ କାର୍ ତାଙ୍କୁ ପିଛା କରିବା ସହ ବେପରୁଆ ଭାବରେ ଗାଡ଼ି ଚଲାଉଥିଲା। ସିଆଙ୍କ କହିବା ଅନୁଯାୟୀ, କାରରେ ଥିବା ବ୍ୟକ୍ତିମାନେ ମଦ୍ୟପାନ କରିଥିବା ପରି ମନେହେଉଥିଲା। ସେ କାର୍ ଚାଳକଙ୍କୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ କହିଥିଲେ, କିନ୍ତୁ ଚାଳକଜଣକ ତାଙ୍କୁ ଗାଡ଼ି ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିପଦକୁ ଏଡ଼ାଇବା ପାଇଁ ସିଆ ଗାଡ଼ି ଆଗକୁ ନେବାକୁ ଚେଷ୍ଟା କରିଥିଲେ ଏବଂ ଅନ୍ୟ ଜଣେ ରାଇଡର୍ ତାଙ୍କୁ ସୁରକ୍ଷା ଦେବା ପାଇଁ ପଛରେ ଗାଡ଼ି ଚଳାଉଥିଲେ। ମାତ୍ର କାରଟି ଅଚାନକ ମୋଡ଼ି ହୋଇ ସିଆଙ୍କ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ସିଆ ଛିଟିକି ପଡ଼ିଥିଲେ ଏବଂ ତାଙ୍କ ବାଇକଟି ରାସ୍ତାରେ ଘଷି ହୋଇ ଜଳି ଯାଇଥିଲା ।ତେବେ ମହିଳା ବାଇକର ରାସ୍ତାରେ ପଡ଼ି ରହିଥିବା ସତ୍ତ୍ୱେ କାର୍ ଚାଳକ ଗାଡ଼ି ନ ଅଟକାଇ ସେଠାରୁ ଦ୍ରୁତଗତିରେ ପଳାଇ ଯାଇଥିଲା । ସିଆଙ୍କ ସାଙ୍ଗମାନେ ପରବର୍ତ୍ତୀ ଟ୍ରାଫିକ୍ ସିଗନାଲ୍ ପର୍ଯ୍ୟନ୍ତ କାର୍ ର ପିଛା କରି ଚାଳକକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ନିଜ ଦୋଷ ମାନିବା ପରିବର୍ତ୍ତେ ଖସି ପଳାଇଥିଲା । ସିଆଙ୍କ ବାଇକରେ ଲାଗିଥିବା ଆକ୍ସନ୍ କ୍ୟାମେରାରେ ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ସାର୍ବଜନୀନ କରିଛନ୍ତି ।ସେ ଗୁରୁଗ୍ରାମ ପୋଲିସ ଏବଂ ହରିୟାଣା ପୋଲିସକୁ ଟ୍ୟାଗ୍ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାକୁ କେବଳ ଏକ ସଡ଼କ ଦୁର୍ଘଟଣା ନୁହେଁ, ବରଂ ହତ୍ୟା ଉଦ୍ୟମ ବୋଲି କହି ଅଭିଯୁକ୍ତ ବିରୋଧରେ ତୁରନ୍ତ ଏଫ୍ ଆଇଆର୍ ରୁଜୁ କରି ଗିରଫ କରିବାକୁ ଦାବି କରିଛନ୍ତି ।

ଅଧିକ ପଢନ୍ତୁ