ଓରାଂଉଟାନ୍ ଉଦ୍ଧାର ଘଟଣା: ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ଓରାଂଉଟାନ୍ ଉଦ୍ଧାର ଘଟଣାକୁ ନେଇ ନନ୍ଦନକାନନରେ ବୈଷୟିକ କମିଟିର ଅନୁଧ୍ୟାନ । ପିସିସିଏଫ୍ (ୱାଇଲ୍ଡଲାଇଫ୍), ଓଡ଼ିଶାଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତପୋଷା ଓ ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ ।ବନ୍ୟପ୍ରାଣୀ ଓ ପ୍ରାଣୀ ଚିକିତ୍ସା ବିଶେଷଜ୍ଞମାନେ ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ ଓ ଶାରୀରିକ ଗତିବିଧି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସମସ୍ତ ୫ଟି ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। କିଛିଦିନ ତଳେ ଏମାନଙ୍କ ମଧ୍ୟରୁ ଗୋଟିଏ ଓରାଙ୍ଗଉଟାନ୍ କୁ ଜ୍ୱର ହୋଇଥିଲା । ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ଆହୁରି କଡ଼ାକଡ଼ି କରାଯାଇଥିଲା । ତେବେ ଜ୍ୱରରେ ପୀଡ଼ିତ ଓରାଙ୍ଗଉଟାନ୍ ର ସ୍ୱାସ୍ଥ୍ୟ ଏବେ ସ୍ଥିର ରହିଛି । ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି ଏବଂ ପୂର୍ବ ଅପେକ୍ଷା ସେମାନଙ୍କ ଚଳପ୍ରଚଳ ଓ ସକ୍ରିୟତା ବଢ଼ିଛି । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସେମାନଙ୍କ ଶରୀରର ତାପମାତ୍ରା ୯୮ରୁ ୯୯ ଡିଗ୍ରୀ ଫାରେନ୍ ହାଇଟ୍ ମଧ୍ୟରେ ଥିବା ଜଣାପଡ଼ିଛି । ଓରାଙ୍ଗଉଟାନ୍ ଙ୍କ ଚିକିତ୍ସା, ଯତ୍ନ ଓ ଦୀର୍ଘମିଆଦୀ ପରିଚାଳନା ପାଇଁ ଓଡ଼ିଶା ସରକାର ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ।ଆଜି ଅଧିକ ଅନୁଧ୍ୟାନ ଓ ଆଲୋଚନା ପରେ କମିଟି ପକ୍ଷରୁ ପରିଦର୍ଶନର ଆକଳନ ରିପୋର୍ଟ ଦାଖଲ କରାଯିବ । ସେପଟେ ନନ୍ଦନକାନନର କାଚ ଘରେ ରହୁଥିବା ଓରାଂଉଟାନ୍ ଛୁଆଙ୍କୁ ଖୋଲା ଏନ୍‌କ୍ଲୋଜର ବା ଖୁଆଡ଼କୁ ଆଣିବା ପାଇଁ ଯୋଜନା କରାଯାଇଛି ।

ଅଧିକ ପଢନ୍ତୁ