ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ଜଳ ବିବାଦର ସମାଧାନ ଆଲୋଚନା ଓ ଭାତୃତ୍ୱପୂର୍ଣ୍ଣ ମନୋଭାବରେ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।ମହାନଦୀ ଜଳ ବଣ୍ଟନକୁ ନେଇ CWC ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଏହି କମିଟି ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଦିଆଯାଇଥିବା ତଥ୍ୟର ବୈଷୟିକ ବିଶ୍ଳେଷଣ କରୁଛି। ଜଳ ଉପଲବ୍ଧତା, ବ୍ୟବହାର, ଜଳ ସଂରକ୍ଷଣ କ୍ଷମତା ଏବଂ ଭବିଷ୍ୟତ ଜଳ ଆବଶ୍ୟକତା ଭଳି ବିଷୟ ଉପରେ ତଥ୍ୟ ଯାଞ୍ଚ କରାଯାଉଛି।ଉଭୟ ରାଜ୍ୟ ନିଜ ନିଜ ଚାହିଦା ଓ ଆବଶ୍ୟକତା ସମ୍ପର୍କିତ ତଥ୍ୟ CWC ନିକଟରେ ଦାଖଲ କରିଛନ୍ତି। ଏହି ତଥ୍ୟର ବିଶ୍ଳେଷଣ ପରେ ବିବାଦର ସମାଧାନ ପାଇଁ ଆଗାମୀ ଆଲୋଚନା ଆଗକୁ ବଢ଼ିବ।ଉଭୟ ରାଜ୍ୟର ସ୍ୱାର୍ଥ ଓ ଜଳ ସୁରକ୍ଷାକୁ ଦୃଷ୍ଟିରେ ରଖି କେଉଁ ଆଧାରରେ ଜଳ ବଣ୍ଟନ କରାଯିବ, ସେନେଇ ଆଗାମୀ ଦିନରେ CWC ପକ୍ଷରୁ ଏକ ରୂପରେଖା ପ୍ରସ୍ତୁତ ହୋଇପାରେ । ମହାନଦୀ ଜଳ ବିବାଦରେ ଓଡ଼ିଶାର ସ୍ୱାର୍ଥକୁ ସର୍ବାଗ୍ରେ ରଖି ସମାଧାନର ବାଟ ବାହାର କରିବାକୁ ସରକାର ଉଦ୍ୟମ କରୁଥିବା କୁହାଯାଇଛି ।
