ଚଳିତ ବର୍ଷ ବନ୍ୟାରେ ୭ ମୃତ, ୩୭ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ: ମନ୍ତ୍ରୀ ସୁରେଶ ପୂଜାରୀ

ଚଳିତ ବର୍ଷ ଓଡ଼ିଶାର ୨୬ଟି ଜିଲ୍ଲାରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ମୋଟ ୩୭,୪୩,୯୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଗୁରୁବାର ଦିନ ବିଧାନସଭାରେ ସୂଚନା ଦିଆଯାଇଛି।ଚଳିତ ବନ୍ୟାରେ ଯାଇଛି ୭ ଜଣଙ୍କ ଜୀବନ । ଏହା ସହ ୯୩ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି । ୧୮ ହଜାର ୭୬ ବାସଗୃହ ଭାଙ୍ଗିଥିବାବେଳେ ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟର ଫସଲ ନଷ୍ଟ ହୋଇଛି । ବ୍ୟକ୍ତିଗତ କ୍ଷତି ଭରଣା ବାବଦରେ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ମିଳିଛି । ସେହିପରି ଗୃହ ନିର୍ମାଣ ସହାୟତା ୩୩ କୋଟି, ଫସଲହାନୀ ୧୫୧ କୋଟି, ପୋଷାକପତ୍ର ବାବଦରେ ୯ କୋଟି ୪୭ ଲକ୍ଷ, ବାସନକୁସନ ବାବଦରେ ୯ କୋଟି ୪୭ ଲକ୍ଷ, ବାଲିଚର ଜମି ପୁନଃରୁଦ୍ଧାର ପାଇଁ ୪ କୋଟି ସହାୟତା ପ୍ରଦାନ କରାଯାଇଛି । ଚଳିତ ବନ୍ୟାରେ ୧୫ ହଜାର ୭୧୫ କୁଇଣ୍ଟାଲ ଚାଉଳ, ୧୨ ହଜାର ୮୬୩ କ୍ବିଣ୍ଟାଲ ଚୁଡ଼ା, ୧୪ଶହ ୪୮ କ୍ବିଣ୍ଟାଲ ଗୁଡ଼, ୪ହଜାର ୧୨୭ ମେଟ୍ରିକ ଟନ ଗୋଖାଦ୍ୟ, ୨୮ ହଜାର ୬୫୧ ପଲିଥିନ ବଣ୍ଟା ଯାଇଛି । ବିଧାୟକ ଟଙ୍କାଧର ତ୍ରିପାଠୀଙ୍କ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ