ରାୟଗଡ଼ରୁ ଅଯୋଧ୍ୟା-ବାରାଣସୀ ଅଭିମୁଖେ ଛଅ ଜିଲ୍ଲାର ୭୭୫ ବରିଷ୍ଠ ନାଗରିକ

ରାୟଗଡ଼, ତା. ୦୧.୧୦.୨୦୨୬:ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ରାୟଗଡ଼ ରେଳ ଷ୍ଟେସନରୁ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆଜି ଶୁଭାରମ୍ଭ ହୋଇଛି। ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଏହି ତୀର୍ଥଯାତ୍ରା ଟ୍ରେନ୍‌କୁ ଫ୍ଲାଗ୍‌ ଅଫ୍‌ କରିଥିଲେ।

ରାଜ୍ୟ ପର୍ଯ୍ୟଟନ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି ତୀର୍ଥଯାତ୍ରାରେ ଦକ୍ଷିଣ-ପଶ୍ଚିମାଞ୍ଚଳର ରାୟଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍‌କର୍ଟ ଅଧିକାରୀ, ସମୁଦାୟ ୮୦୦ ଜଣ ଅଂଶଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ସେମାନେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ତୀର୍ଥଯାତ୍ରାରେ ରାୟଗଡ଼ ଜିଲ୍ଲାରୁ ୧୧୮ ଜଣ, କୋରାପୁଟରୁ ୧୬୮ ଜଣ, ନବରଙ୍ଗପୁରରୁ ୧୪୮ ଜଣ, କଳାହାଣ୍ଡିରୁ ୧୯୨ ଜଣ, ମାଲକାନଗିରିରୁ ୭୫ ଜଣ ଏବଂ ନୂଆପଡ଼ାରୁ ୭୪ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି। ଏହି ଅବସରରେ ରାୟଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଶ୍ରୀ ରବୀନ୍ଦ୍ରନାଥ କହଁର ଏବଂ ଉପଜିଲ୍ଲାପାଳ ଶ୍ରୀମତୀ ମୃଣାଳିନୀ ରାଠୋଡ଼ଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ରେଳବାଇ ଓ ଆଇଆରସିଟିସିର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ବରିଷ୍ଠ ନାଗରିକମାନଙ୍କ ତ୍ୟାଗ, ଅନୁଭବ ଓ ଅବଦାନ ଆମ ସମାଜର ମୂଲ୍ୟବୋଧକୁ ସମୃଦ୍ଧ କରିଛି। ଜୀବନର ଅପରାହ୍ନରେ ଅନେକ ବରିଷ୍ଠ ନାଗରିକ ତୀର୍ଥସ୍ଥାନ ଦର୍ଶନ କରିବାକୁ ଇଚ୍ଛା କରିଥାନ୍ତି, କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ସେମାନଙ୍କ ଇଚ୍ଛା ସବୁବେଳେ ପୂରଣ ହୋଇପାରେ ନାହିଁ। ଏହି ଯୋଜନା ମାଧ୍ୟମରେ ସରକାର ସେମାନଙ୍କ ତୀର୍ଥଯାତ୍ରାର ସ୍ୱପ୍ନକୁ ସାକାର କରିବାର ସୁଯୋଗ ପ୍ରଦାନ କରୁଛନ୍ତି। ଏଭଳି ଏକ ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଯାତ୍ରା ସୁରକ୍ଷିତ ଓ ସୁଖଦ ହେଉ ଏବଂ ସମସ୍ତେ ସୁସ୍ଥ ଭାବେ ଫେରିଆସନ୍ତୁ ବୋଲି କାମନା କରିଥିଲେ।

ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତାୟାତ, ରହଣି, ଖାଦ୍ୟ ଓ ପାନୀୟ, ପଥପ୍ରଦର୍ଶକ, ସୁରକ୍ଷା, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି।
ଏହି ତୀର୍ଥଯାତ୍ରାର ଚତୁର୍ଥ ପର୍ଯ୍ୟାୟରେ ରାୟଗଡ଼ରୁ ଅଯୋଧ୍ୟା ଓ ବାରାଣସୀ ଯାତ୍ରା ନିମନ୍ତେ ଛଅଟି ଜିଲ୍ଲାର ତୀର୍ଥଯାତ୍ରୀମାନେ ରାୟଗଡ଼ରେ ଏକତ୍ରିତ ହୋଇଥିଲେ। ପୂର୍ବଦିନ ସେମାନଙ୍କ ରହଣି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବା ସହ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଜି ରେଳ ଷ୍ଟେସନରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯିବା ସହ ଏକ ସ୍ୱାଗତ ସଭା ଆୟୋଜିତ ହୋଇଥିଲା।

ଅଧିକ ପଢନ୍ତୁ