କ୍ୟାମ୍ପସରେ ବାଜିଲା ନିର୍ବାଚନ ବିଗୁଲ୍। ୭ରେ ଆସିବ ବିଜ୍ଞପ୍ତି, ୧୫ରେ ଭୋଟ୍। ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ।। ତେବେ ଛାତ୍ର ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ହେବା ପାଇଁ କ’ଣ ରହିଛି ନିୟମ। ତାହା ଜାଣନ୍ତୁ। UG କିମ୍ବା +3 ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଦରକାର। ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବା ସହ, ଅତିକମରେ ୭୫ ପ୍ରତିଶତ କ୍ଲାସ୍ ଉପସ୍ଥାନ ରହିବା ଆବଶ୍ୟକ।ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ କେବଳ ଥରେ ନିର୍ବାଚନ ଲଢ଼ିପାରିବେ। ତେବେ Executive Member ପଦ ପାଇଁ ଦୁଇଥର ସୁଯୋଗ ରହିବ। ଏହାସହ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବ । କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ପ୍ରାର୍ଥୀ ହୋଇପାରିବେ ନାହିଁ।
ପ୍ରାର୍ଥୀ ହୋଇପାରିବେ ନାହିଁ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ। ଅନ୍ୟପଟେ ନିୟମ ଅନୁସାରେ, ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ। ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କୁ ନିଜ ନିର୍ବାଚନୀ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ। ଏହାପରେ କଲେଜ ପକ୍ଷରୁ ଦୁଇ ଦିନ ମଧ୍ୟରେ ସେହି ଖର୍ଚ୍ଚର ହିସାବ HIMS Portalରେ ପ୍ରକାଶ କରାଯିବ। ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କ ନିର୍ବାଚନ ବାତିଲ ମଧ୍ୟ ହୋଇପାରେ। ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ସୋସିଆଲ ମିଡିଆ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଶାଳୀନତା ରକ୍ଷା କରିବାକୁ ହେବ। ପ୍ରକାଶିତ ବିଜ୍ଞପ୍ତିରେ ଏନେଇ ରହିଛି ନିୟମ। ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର ନାହିଁ। ବ୍ୟକ୍ତିଗତ ଆକ୍ରମଣ କରିବେ ନାହିଁ। ଭିତ୍ତିହୀନ ଅଭିଯୋଗ କରିବେ ନାହିଁ ପ୍ରାର୍ଥୀ। ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର ମନା। ସେହିପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ ପ୍ରଚାର ଉପରେ କଡ଼ା କଟକଣା ଜାରି ହୋଇଛି।
