ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ‘ଗୁରୁ କୃପା କୁଞ୍ଜ’ ଆଶ୍ରମରେ ତାଙ୍କ ଶିଷ୍ୟ ଦୀପକ ଲୋଧୀ (ରସିକ ଦୁଲାରୀ ଶରଣ)ଙ୍କ ମୃତ୍ୟୁ ପରେ , ଦେଖା ଦେଇଥିବା ବିବାଦ ଏବେ ଆହୁରି ଗମ୍ଭୀର ହେବାରେ ଲାଗିଛି ।ଏହାପରେ କେଲି କୁଞ୍ଜ ଆଶ୍ରମ ବାହାରେ ତିନିଟି ପରିବାର ନିଜ ନିଜ ପରିଜନ ନିଖୋଜ ଥିବା ଅଭିଯୋଗକୁ ନେଇ ହଙ୍ଗାମା କରିଥିଲେ। ପରିସ୍ଥିତି ଜଟିଳ ହେବାରୁ ଆଶ୍ରମ ପରିଚାଳନା ପକ୍ଷରୁ ଘଟଣାର ତଦନ୍ତରେ ସହଯୋଗ କରାଯିବ ବୋଲି କୁହାଯାଇଥିଲା। ଏହି ଘଟଣାରେ ପ୍ରେମାନନ୍ଦ ମହାରାଜ ମଧ୍ୟ ଗଭୀର ଭାବେ ଆହତ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି।ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ଦିନେଶ ଶର୍ମା ଫଲାହାରୀ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ସେ କହିଛନ୍ତି ଯେ ଆଶ୍ରମରେ ‘ଅସଲି ବନାମ ନକଲି ସନ୍ଥ’ଙ୍କ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି । ନକଲି ସନ୍ଥମାନଙ୍କ ଗୋଷ୍ଠୀ ସନ୍ଥ ପରମ୍ପରାକୁ ପଛକରି ଜମି ଓ ସମ୍ପତ୍ତିର ବେଆଇନ କାରବାରରେ ଲିପ୍ତ ଅଛନ୍ତି ।ତାଙ୍କର ଅଭିଯୋଗ ଯେ ଏହିଭଳି ଅସାମାଜିକ ତତ୍ତ୍ୱ ପ୍ରାୟ ୧୫ଟି ଆଶ୍ରମକୁ ଜବରଦଖଲ କରି ରଖିଛନ୍ତି, ଯାହାଦ୍ୱାରା ଦୁଃଖିତ ହୋଇ ପ୍ରେମାନନ୍ଦ ମହାରାଜ ତାଙ୍କର ବିଶ୍ୱସ୍ତ ଅସଲି ସନ୍ଥମାନଙ୍କ ସହ କେଳି କୁଞ୍ଜ ଛାଡ଼ି ୨୦ କିଲୋମିଟର ଦୂର ବେଲବନ ଆଶ୍ରମକୁ ଚାଲି ଯାଇଛନ୍ତି ।ମଥୁରାର ପ୍ରସିଦ୍ଧ ସାଧ୍ୱୀ ଇନ୍ଦୁଲେଖା ମଧ୍ୟ ଦିନେଶ ଶର୍ମା ଫଲାହାରୀଙ୍କ ଦାବିକୁ ସମର୍ଥନ କରିଛନ୍ତି ।
