ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ! ପ୍ରତିବାଦରେ ସାମିଲ ହେବାକୁ BJDକୁ ଇଣ୍ଡି ମେଣ୍ଟର ଖୋଲା ନିମନ୍ତ୍ରଣ

ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତା ୮ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ଧ୍ୟାନ ଦିଆଯିବ । tebe ଚାରିଟି ମୁଖ୍ୟ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଏସ୍ ଆଇଆର୍ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରାଯାଇଛି । ଏମ୍ ଏମ୍ ଡିଆର୍ (MMDR) ଆଇନ ସଂଶୋଧନ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍ ହେଉଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଉଠାଯାଇଛି । ବନ୍ୟା ପୀଡ଼ିତଙ୍କୁ ଯଥେଷ୍ଟ ସହାୟତା ଓ ପୁନର୍ବାସ ଯୋଗାଇବାକୁ ଦାବି କରାଯାଇଛି।ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଇଣ୍ଡିଆ ବ୍ଲକ୍ ପକ୍ଷରୁ କୁହାଯାଇଛି ଯେ, ବନ୍ଦ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହା ପ୍ରତି ବ୍ୟାପକ ଜନସମର୍ଥନ ମିଳୁଥିବା ଦାବି କରି ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ସଫଳ ହେବ ବୋଲି ନେତାମାନେ ଆଶା ପ୍ରକାଶ କରିଛନ୍ତି । ତେବେ ପ୍ରତିବାଦରେ ସାମିଲ ହେବା ପାଇଁ ବିଜେଡିକୁ ଇଣ୍ଡି ମେଣ୍ଟ ଖୋଲା ନିମନ୍ତ୍ରଣ କରିଛି ।ଗୋଟିଏ ପଟେ ବନ୍ଦ ଦାବି ଓ ପ୍ରସଙ୍ଗକୁ ନେଇ ଇଣ୍ଡି ମେଣ୍ଟ ଏକାଠି ହୋଇଥିବା ବେଳେ, ଅପରପକ୍ଷରେ ବିଜେଡି ଏହି ଆହ୍ୱାନକୁ କିଭଳି ଗ୍ରହଣ କରିବ, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଏହା କେବଳ ୧୨ ଘଣ୍ଟିଆ ବନ୍ଦ, ନା ଓଡ଼ିଶାର ବିରୋଧୀ ରାଜନୀତିରେ ଏକ ବଡ଼ ସମନ୍ୱୟର ସଙ୍କେତ, ତାହାର ଚିତ୍ର ଆସନ୍ତାକାଲି ସ୍ପଷ୍ଟ ହେବ ।

ଅଧିକ ପଢନ୍ତୁ