ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି: ବିଜେଡି

ଏକ ଦାୟିତ୍ୱବାନ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ସର୍ବଦା ଓଡ଼ିଶାବାସୀଙ୍କ ସ୍ୱାର୍ଥ, ଅଧିକାର ଓ ହକ୍ ପାଇଁ ଦୃଢ଼ ଭାବେ ଠିଆ ହୋଇଆସିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଯେତେବେଳେ ପ୍ରଭାବିତ ହୋଇଛି, ସେତେବେଳେ ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ନିରନ୍ତର ଭାବେ ସ୍ୱର ଉତ୍ତୋଳନ କରିବା ସହ ଲୋକମାନଙ୍କ ପାଇଁ ରାଜରାସ୍ତାରେ ଲଢେଇ କରିଛି ।ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଏହା କହିଛନ୍ତି |ଆସନ୍ତାକାଲି ଡକାଯାଇଥିବା ବନ୍ଦକୁ ବିଜେଡି ନା ସମର୍ଥନ କରୁଛି, ନା ବିରୋଧ କରୁଛି ବୋଲି ସେ କହିଛନ୍ତି। ଆମର ଫୋକସ୍ ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ୱାର୍ଥ ଉପରେ । ବିଜେପି ଓ କଂଗ୍ରେସ ଉଭୟଙ୍କଠାରୁ ବିଜେଡି ସମଦୂରତା ବଜାୟ ରଖିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଆଧାର କରି ନିଜର ନିଷ୍ପତ୍ତି ନେଇ ଚାଲିବ ବୋଲି ଡ. ମହାନ୍ତି କହିଥିଲେ ।ଏସ୍ଆଇଆର୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଆୟୋଜିତ ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କାର୍ଯ୍ୟାଳୟ ଅଭିମୁଖେ ରାଲିରେ ବିଜେଡି ରାଜ୍ୟସଭା ସାଂସଦମାନେ ଅଂଶଗ୍ରହଣ କରିଥିଲେ । ଏହି ରାଲିରେ ବିରୋଧୀ ଦଳଗୁଡ଼ିକ ଭୋଟର ତାଲିକାର ଏସ୍ଆଇଆର ପ୍ରକ୍ରିୟାକୁ ନେଇ ନିଜର ଚିନ୍ତା ପ୍ରକାଶ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ । ନାଗରିକମାନଙ୍କ ମତଦାନ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ନିଜର ଆଭିମୁଖ୍ୟର ଅଂଶ ଭାବେ ବିଜେଡି ନୂଆଦିଲ୍ଲୀର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ।ବିଜେଡି ଓଡ଼ିଶାବାସୀଙ୍କ ସହ ଠିଆ ହୋଇ ରାଜ୍ୟର ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ନିରନ୍ତର ଲଢ଼େଇ ଜାରି ରଖିବ ।

ଅଧିକ ପଢନ୍ତୁ