ମନଇଚ୍ଛା ମାଗି ପାରିବେନି ଫି’ ।ଘରୋଇ କଲେଜ ଗୁଡ଼ିକ ମନଇଚ୍ଛା ଆଦାୟ କରୁଥିବା ଫି’ ଉପରେ ସରକାରୀ ଅଙ୍କୁଶ ଲଗା ଯାଇଛି । ଇଞ୍ଜିନିୟରିଂରୁ ମେଡିକାଲ ପାଠ୍ୟକ୍ରମ ସବୁଥିରେ ଫି’ ଛାଟ ବାଜିଛି । ତେବେ ପାଠପଢ଼ା ସରିବା ପର୍ଯ୍ୟନ୍ତ ବଦଳିବନି ଦେୟ ।
ରାଜ୍ୟର ଘରୋଇ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ମେଡିକାଲ କଲେଜଗୁଡ଼ିକରେ ବେଲଗାମ ଫି’ ଆଦାୟ ଓ ମନଇଚ୍ଛା ଫି’ ବୃଦ୍ଧି ଉପରେ ଶେଷରେ ଲଗାମ ଲଗାଇଛନ୍ତି ରାଜ୍ୟ ସରକାର । ଇଞ୍ଜିନିୟରିରୁ ମେଡିକାଲ ଓ ପ୍ରଫେସନାଲ ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ, ନିୟନ୍ତ୍ରିତ ଓ ସୁବିଧାଜନକ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆର୍ଥିକ ଶୋଷଣରୁ ମୁକ୍ତି ଦେବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
୨୦୨୬-୨୭ରୁ ୨୦୨୮-୨୯ ଶିକ୍ଷାବର୍ଷ ମଧ୍ୟରେ ଡିପ୍ଲୋମା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ ଓ ମେଡିକାଲ ପାଠ୍ୟକ୍ରମରେ ରାଜ୍ୟର ଘରୋଇ କଲେଜଗୁଡ଼ିକରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ଏହି ଦେୟ ଅପରିବର୍ତ୍ତିତ ରହିବ ।
