ଆଜି ନବରାତ୍ରର ଦ୍ୱିତୀୟ ଦିନ: ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଆଜି ହେଉଛି ନବରାତ୍ରିର ଦ୍ୱିତୀୟ ଦିନ । ଘରେ ଘରେ ପୂଜା ପାଉଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ । ମାଆ ଜଗଦମ୍ବାଙ୍କ ନଅରୂପ ଭିତରୁ ଦ୍ୱିତୀୟ ରୂପ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ଶାନ୍ତ,ବୈରାଗ୍ୟ,ସଦାଚାର,ଶିଷ୍ଟାଚାର,ତ୍ୟାଗ,ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ଏହି ସ୍ୱରୂପ ସହ ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ଏକାଗ୍ର ମନରେ ମା’ଙ୍କ ପୂଜା କଲେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ମା’ ବ୍ରହ୍ମଚାରୀଣି ନିଜ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି। ଏହି ବେଶରେ ମା’ଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ। ବିଶେଷକରି ଛାତ୍ରଛାତ୍ରୀ ଏବଂ ସାଧନାରେ ନିମଗ୍ନ ଥିବା ବ୍ୟକ୍ତିଙ୍କ ପାଇଁ ଦେବୀଙ୍କ ପୂଜା ଅତ୍ୟନ୍ତ ଫଳପ୍ରଦ ବୋଲି ମାନ୍ୟତା ରହିଛି । ଯେଉଁମାନଙ୍କ ଜାତକରେ ଚନ୍ଦ୍ର ଦୁର୍ବଳ ସ୍ଥିତିରେ ରହିଛନ୍ତି, ସେମାନେ ମଧ୍ୟ ମା’ ବ୍ରହ୍ମଚାରିଣୀଙ୍କ ଉପାସନା କରିବା ଉଚିତ ବୋଲି କୁହାଯାଏ ।ପୌରାଣିକ କଥା ଅନୁଯାୟୀ, ମା’ ବ୍ରହ୍ମଚାରିଣୀଙ୍କ ଜନ୍ମ ପର୍ବତରାଜ ହିମାଳୟ ଏବଂ ଦେବୀ ମୈନାଙ୍କ ଘରେ ହୋଇଥିଲା । ପର୍ବତରାଜଙ୍କ କନ୍ୟା ହୋଇଥିବାରୁ ତାଙ୍କ ନାମ ପାର୍ବତୀ ରଖାଯାଇଥିଲା । ବାଲ୍ୟକାଳରେ ଋଷି ନାରଦଙ୍କଠାରୁ ଭଗବାନ ଶିବଙ୍କ ବିଷୟରେ କଥା ଶୁଣିବା ପରେ ମା’ ପାର୍ବତୀ ଶିବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବାକୁ ସଂକଳ୍ପ ନେଇଥିଲେ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସେ କଠୋର ତପସ୍ୟା ଆରମ୍ଭ କରିଥିଲେ । ପ୍ରଥମେ ସେ ଅତି ସୀମିତ ଖାଦ୍ୟ ଗ୍ରହଣ କରୁଥିଲେ । ପରବର୍ତ୍ତୀ ସମୟରେ କେବଳ ଫଳ ଓ ପତ୍ର ଖାଇ ଜୀବନ ନିର୍ବାହ କରିଥିଲେ ।

ଶେଷରେ ସେ ଖାଦ୍ୟ ଓ ଜଳ ମଧ୍ୟ ତ୍ୟାଗ କରି କଠୋର ସାଧନାରେ ଲୀନ ରହିଥିଲେ । ତାଙ୍କର ଅସାଧାରଣ ତପସ୍ୟା ଏବଂ ଅଟଳ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ଏବଂ ପତ୍ନୀ ରୂପେ ଗ୍ରହଣ କରିଥିଲେ । ତାଙ୍କର ଏହି ତପସ୍ୱିନୀ ସ୍ୱରୂପ କାରଣରୁ ସେ ମା’ ବ୍ରହ୍ମଚାରିଣୀ ଭାବେ ପୂଜିତ ହେଉଛନ୍ତି। ମା’ ବ୍ରହ୍ମଚାରିଣୀଙ୍କ ଆରାଧନା ଦ୍ୱାରା ଜୀବନରେ ଧୈର୍ଯ୍ୟ, ଆତ୍ମବିଶ୍ୱାସ, ସଂଯମ ଓ ଦୃଢ଼ ସଂକଳ୍ପ ବୃଦ୍ଧି ପାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି ।

ଅଧିକ ପଢନ୍ତୁ