୪୦୦ ପରିବାରର ଦାୟିତ୍ୱ ନେଲେ, ବର୍ଷେ ଯାଏଁ ଯୋଗାଇବେ ରାସନ୍ : ରଶ୍ମିକା

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜ ଅଭିନୟ ସହ ମାନବିକତା ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଫିଲ୍ମ ‘ରଣବାଲି’କୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ତାଙ୍କର ଏକ ମହତ୍‌ ପଦକ୍ଷେପ ପ୍ରଶଂସକଙ୍କ ମନ ଜିଣିଛି। ଅଭିନେତ୍ରୀ ୪୦୦ଟି ପରିବାରକୁ ସହାୟତା କରିବାର ଦାୟିତ୍ୱ ନେଇଛନ୍ତି। ଆଗାମୀ ବର୍ଷେ ପର୍ଯ୍ୟନ୍ତ ପ୍ରତିଥର ତିନି ମାସ ପାଇଁ ଏହି ପରିବାରଗୁଡ଼ିକର ରାସନ ଓ ଗ୍ରୋସରି ଖର୍ଚ୍ଚରେ ସହଯୋଗ କରିବେ।ଏନେଇ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି ଅଭିନେତ୍ରୀ ।ଏହାଦ୍ୱାରା ପରିବାରଗୁଡ଼ିକର ଦୈନନ୍ଦିନ ଖର୍ଚ୍ଚ କିଛି ମାତ୍ରାରେ କମିପାରିବ । ରାସନ୍ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ସେମାନେ ସଞ୍ଚୟ କରି ନିଜର ଭବିଷ୍ୟତ ପାଇଁ ବ୍ୟବହାର କରିପାରିବେ ବୋଲି ଆଶା ରଖିଛନ୍ତି ଅଭିନେତ୍ରୀ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ରଶ୍ମିକା କହିଛନ୍ତି, ପୂର୍ବରୁ ସେ ନିଜର ଏପରି ସହାୟତାମୂଳକ କାର୍ଯ୍ୟକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରୁଥିଲେ। କିନ୍ତୁ ଏବେ ସେ ଏହା ବିଷୟରେ ଖୋଲାଖୋଲି କହିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ପ୍ରେରଣା ପାଇପାରିବେ।

ଅଧିକ ପଢନ୍ତୁ