ସୁପ୍ରିମକୋର୍ଟ ଧର୍ମ ପରିବର୍ତ୍ତନ ପରେ ସଂରକ୍ଷଣ ଏବଂ ପଛୁଆ ବର୍ଗର ମାନ୍ୟତା ହାସଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ସେହି ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି, ଯେଉଁଥିରେ ତାମିଲନାଡୁ ସରକାରଙ୍କ ସେହି ଆଦେଶକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା ଯାହା ଅଧୀନରେ ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରିଥିବା ପଛୁଆ ବର୍ଗ, ଅତି ପଛୁଆ ବର୍ଗ, ବିମୁକ୍ତ ସମୁଦାୟ ଏବଂ ଅନୁସୂଚିତ ଜାତିର ଲୋକଙ୍କୁ ‘ପଛୁଆ ବର୍ଗ ମୁସଲିମ୍’ ଭାବେ ସ୍ୱୀକୃତି ଦେବାର ଅନୁମତି ଦିଆଯାଇଥିଲା। ସୁପ୍ରିମକୋର୍ଟ ଙ୍କ କହିବା ଅନୁଯାୟୀ, ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ଜଣେ ବ୍ୟକ୍ତିଙ୍କର ସାମାଜିକ ପଛୁଆବର୍ଗ ସ୍ଥିତି ଅନ୍ୟ ଧର୍ମ ଗ୍ରହଣ କରିବା ପରେ ସେହି ଧର୍ମର ସାମାଜିକ ବ୍ୟବସ୍ଥାରେ ସ୍ୱତଃ ଲାଗୁ ହୁଏ ନାହିଁ ।ଏହି ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ଧର୍ମ ପରିବର୍ତ୍ତନ କରି ମୁସଲମାନ ହୋଇଥିବା ବ୍ୟକ୍ତିଙ୍କୁ ଆରକ୍ଷଣ ସୁବିଧା ଦେବା ପାଇଁ ତାମିଲନାଡୁ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଦାଖଲ କରିଥିବା ଆବେଦନକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।ସୁପ୍ରିମକୋର୍ଟ କହିଛନ୍ତି ଯେ, କେବଳ ଇସଲାମ ଧର୍ମ ଗ୍ରହଣ କରିଦେଲେ ଜଣେ ବ୍ୟକ୍ତି ରାଜ୍ୟରେ ଚିହ୍ନିତ ପଛୁଆ ମୁସଲମାନ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହୋଇଯାଆନ୍ତି ନାହିଁ । ପୂର୍ବ ଜାତି କିମ୍ବା ସମ୍ପ୍ରଦାୟର ପରିଚୟ ଆଧାରରେ ନୂଆ ଧର୍ମରେ ଆରକ୍ଷଣ ସୁବିଧା ସ୍ୱତଃ ମିଳିପାରିବ ନାହିଁ ।ସୁପ୍ରିମକୋର୍ଟ ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, ୧୯୫୦ର ପାରାଗ୍ରାଫ୍ ୩ର ଉଲ୍ଲେଖ କରିଛନ୍ତି। ଏହା ଅନୁଯାୟୀ, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମକୁ ମାନୁଥିବା ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ଧର୍ମକୁ ମାନୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ନିର୍ଦ୍ଧାରିତ ଧର୍ମଗୁଡ଼ିକ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ ବ୍ୟକ୍ତି ତାଙ୍କର ପୂର୍ବବର୍ତ୍ତୀ ଜାତିଗତ ଅନୁସୂଚିତ ଜାତିର ମାନ୍ୟତା ହରାଇ ବସନ୍ତି।
