ନଭେମ୍ବର ୧ରୁ ମୋବାଇଲ୍ ସ୍କ୍ରିନରେ ଦେଖାଯିବ ଅଜଣା କଲକର୍ତ୍ତାଙ୍କ ପ୍ରକୃତ ନାମ

ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ମୋବାଇଲ୍‌କୁ ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ନେଇ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟେଲିକମ୍ ବିଭାଗ (DoT) ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍ ପ୍ରେଜେଣ୍ଟେସନ୍ ବା CNAP ସେବା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସେବା ଆରମ୍ଭ ହେବା ପରେ ଫୋନ୍‌କୁ କଲ୍ ଆସିବା ସମୟରେ ମୋବାଇଲ୍ ନମ୍ବର ସହ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ । ବିଭାଗ ପକ୍ଷରୁ ଅକ୍ଟୋବର ୧୩ ତାରିଖରେ ଜାରି ସର୍କୁଲାର ଅନୁଯାୟୀ, ଏହି ସୁବିଧା ସମସ୍ତ ସର୍ଭିସ୍ ଏରିଆରେ ଲାଗୁ କରାଯିବ ।ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ୪ଜି ଓ ୫ଜି ନେଟୱାର୍କ ବ୍ୟବହାର କରୁଥିବା ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହି ସିଏନ୍ଏପି ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ ବାଏ ଡିଫଲ୍ଟ ସକ୍ରିୟ ରହିବ। ତେବେ ୨ଜି, ୩ଜି ଏବଂ ପବ୍ଲିକ୍ ସୁଇଚ୍ଡ ଟେଲିଫୋନ୍ ନେଟୱାର୍କରେ ଏହାକୁ ଲାଗୁ କରିବା ନେଇ ପରେ ବିଚାର କରାଯିବ। ଫୋନ୍ ଆସିବା ସମୟରେ ସ୍କ୍ରିନରେ ପ୍ରଥମେ କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ଏବଂ ଦ୍ୱିତୀୟରେ ଗ୍ରାହକଙ୍କ କଣ୍ଟାକ୍ଟ ଲିଷ୍ଟରେ ସେଭ୍ ହୋଇଥିବା ନାମ ଦେଖାଯିବ। ଯଦି ନମ୍ବରଟି ସେଭ୍ ହୋଇନଥାଏ, ତେବେ ଘରୋଇ କଲଗୁଡ଼ିକ ପାଇଁ ଟେଲିକମ୍ ଅପରେଟରଙ୍କ ଡାଟାବେସରେ ପଞ୍ଜୀକୃତ ହୋଇଥିବା ନାମ ପ୍ରଦର୍ଶିତ ହେବ। ଅନ୍ତର୍ଜାତୀୟ କଲଗୁଡ଼ିକ କ୍ଷେତ୍ରରେ ସ୍କ୍ରିନରେ ‘ଇଣ୍ଟରନ୍ୟାସନାଲ୍ କଲ୍’ ବୋଲି ଲେଖାଯାଇଥିବା ନଜର ଆସିବ। ଗତ କିଛି ମାସ ମଧ୍ୟରେ ୪ଜି ଏବଂ ୫ଜି ନେଟୱାର୍କରେ ଏହାର ପରୀକ୍ଷଣ କରାଯିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପଟେ, ବ୍ୟବସାୟିକ କିମ୍ବା ବଲ୍କ କନେକ୍ସନ୍ ବ୍ୟବହାର କରୁଥିବା କମ୍ପାନୀ ଓ ସଂସ୍ଥାଗୁଡ଼ିକୁ ଯାଞ୍ଚ ପରେ ସେମାନଙ୍କ ପଞ୍ଜୀକୃତ ଟ୍ରେଡ୍‌ମାର୍କ କିମ୍ବା GST ପୋର୍ଟାଲ୍‌ରେ ଥିବା ବ୍ୟବସାୟିକ ନାମ ଦେଖାଇବାର ସୁବିଧା ମିଳିପାରେ । ଏହି ବ୍ୟବସ୍ଥା ଲାଗୁ କରିବାର ଦାୟିତ୍ୱ ଟେଲିକମ୍ କମ୍ପାନୀଗୁଡ଼ିକର ରହିବ । ଏଥିସହିତ, ଭୁଲ୍ ନାମ ଦେଖାଯିବା ସମ୍ପର୍କିତ ଅଭିଯୋଗ ଗ୍ରହଣ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ତାହାର ସମାଧାନ କରିବା ପାଇଁ ମଧ୍ୟ କମ୍ପାନୀଗୁଡ଼ିକୁ ବ୍ୟବସ୍ଥା କରିବାକୁ ପଡ଼ିବ ।

ଅଧିକ ପଢନ୍ତୁ