ଚେକ୍ ବାଉନ୍ସ ମାମଲାରେ ରାଜପାଲଙ୍କୁ ବଡ଼ ଆଶ୍ୱସ୍ତି, ପାସପୋର୍ଟ ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଚେକ୍ ବାଉନ୍ସ ମାମଲାରେ ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ତାଙ୍କ ପାସପୋର୍ଟ ଜାରି କରିବାକୁ ସୁପ୍ରିମକୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ କାନାଡାରେ ହେବାକୁ ଥିବା ଏକ କନସର୍ଟରେ ଯୋଗଦେବା ପାଇଁ ତାଙ୍କ ବିଦେଶ ଯାତ୍ରାର ରାସ୍ତା ସହଜ ହୋଇଛି ।ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜପାଲଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ ଅଭିନେତା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି । ସେ କୋର୍ଟର ରେଜିଷ୍ଟ୍ରିରେ ୨ କୋଟି ଟଙ୍କା ଜମା କରିଛନ୍ତି । ଏଥିମଧ୍ୟରୁ ୧ କୋଟି ୧୫ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଏବଂ ୮୫ ଲକ୍ଷ ଟଙ୍କା RTGS ଜରିଆରେ ଜମା କରାଯାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କୁ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ କରିବାକୁ କହିଛନ୍ତି। ଏଥିପାଇଁ କୋର୍ଟ ଜଣେ ମଧ୍ୟସ୍ଥ ନିଯୁକ୍ତ କରିବେ । ଉଭୟ ପକ୍ଷ ନିର୍ଦ୍ଧାରିତ ତାରିଖରେ ତାଙ୍କ ନିକଟରେ ହାଜର ହେବେ। ରାଜପାଲଙ୍କ ବିରୋଧରେ ଚେକ୍ ବାଉନ୍ସ ମାମଲା ଦାଏର କରିଥିବା କମ୍ପାନୀ ମୁରଲୀ ପ୍ରୋଜେକ୍ଟସ୍ର ଓକିଲ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି । ରାଜପାଲଙ୍କ ଓକିଲ କହିଥିଲେ ଯେ ଅଭିନେତା ନିଜର ବୃତ୍ତିଗତ କାମ ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ପାସପୋର୍ଟ ଟ୍ରାଏଲ୍ କୋର୍ଟରେ ଜବତ ହୋଇ ରହିଛି । ସୁପ୍ରିମକୋର୍ଟ ଉପଯୁକ୍ତ ସର୍ତ୍ତ ରଖି ରାଜପାଲଙ୍କ ପାସପୋର୍ଟ ଫେରାଇବାକୁ ଟ୍ରାଏଲ୍ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ