ରାମଲୀଳା ମଇଦାନରେ ରାବଣଙ୍କ ସହ ଜଳିବ ୩୦ ଫୁଟର କକ୍ରୋଚ୍

ଜାତୀୟ ରାଜଧାନୀ ଦିଲ୍ଲୀର ଏକ ରାମଲୀଳାରେ ଏଥର ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପୁତଳା ସହ ୩୦ ଫୁଟ୍ ଉଚ୍ଚର ‘କକ୍ରୋଚ୍’ ପୁତଳା ମଧ୍ୟ ଦାହ କରାଯିବ। ପୀତମପୁରାରେ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା ସମିତି ଏହି ନିଷ୍ପତ୍ତି ନେଇଛି।କେଶବ ରାମଲୀଳା ସମିତି ଅନୁଯାୟୀ, ଅସରପା ଅପରିଷ୍କାର ଓ ମଇଳାର ପ୍ରତୀକ । ଏହି କାରଣରୁ ଦଶହରାରେ ଏହାର ପ୍ରତିକୃତି ଦହନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମାଧ୍ୟମରେ ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନ କରିବା ସହ ‘ସ୍ୱଚ୍ଛ ଭାରତ’ ଓ ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନର ବାର୍ତ୍ତା ପ୍ରଚାର କରିବା ଏହି ସମିତିର ଉଦ୍ଦେଶ୍ୟ ।ସମିତିର ଅଧ୍ୟକ୍ଷ ତଥା ବିଜେପି ବିଧାୟକ ଅଶୋକ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ରାମଲୀଳା ମାଧ୍ୟମରେ ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ଦେବା ସହ ଲୋକଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବୁଝାଇବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।ଗୋୟଲ କହିଛନ୍ତି ଯେ, ରାମଲୀଳା ସମୟରେ ‘କକ୍ରୋଚ୍’କୁ ରାବଣଙ୍କ ସେନାର ‘ଅସୁର’ମାନଙ୍କ ମଧ୍ୟରେ ମଧ୍ୟ ସାମିଲ କରାଯିବ। ତେବେ ଏହି ନିଷ୍ପତ୍ତି ‘କକ୍ରୋଚ୍ ଜନତା ପାର୍ଟି’ର ବିକ୍ଷୋଭ ପୃଷ୍ଠଭୂମିରେ ଆସିଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।

ଅଧିକ ପଢନ୍ତୁ