ଶକ୍ତିପୀଠରେ ମହାନବମୀ ପୂଜା, ମଣ୍ଡପରେ ମହାଅଷ୍ଟମୀ

ଆଜି ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା। ନବରାତ୍ରୀ ଅବସରରେ ମା’ଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଦେବୀପୀଠ । ଅନ୍ୟପଟେ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଛି ମହାଅଷ୍ଟମୀ ପୂଜା । ଏହାକୁ ନେଇ ସବୁଠି ଦେଖିବାକୁ ମିଳିଛି ପାର୍ବଣର ମାହୋଲ । ଆଜିର ଦିନରେ ମା’ ଦୁର୍ଗାଙ୍କ ନବମ ସ୍ୱରୂପ ମା’ ସିଦ୍ଧିଦାତ୍ରୀଙ୍କୁ ଆରାଧନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ଜ୍ଞାନ, ଶକ୍ତି ଓ ସିଦ୍ଧିର ଅଧିଷ୍ଠାତ୍ରୀ ଦେବୀ । ତାଙ୍କ ଆରାଧନା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି ।ଚଳିତବର୍ଷ ଅଷ୍ଟମୀ ଓ ନବମୀ ତିଥିର ସଂଯୋଗକୁ ନେଇ ପୂଜାରେ ରହିଛି ବିଶେଷତ୍ୱ । ପଞ୍ଜିକା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ୫୧ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ରହିବ। ଏହାପରେ ଆରମ୍ଭ ହେବ ନବମୀ ତିଥି । ତେଣୁ ବିଭିନ୍ନ ପୂଜାମଣ୍ଡପରେ ସ୍ଥାନୀୟ ପଞ୍ଜିକା ଓ ପୂଜାବିଧି ଅନୁସାରେ ମହାଷ୍ଟମୀ ଓ ମହାନବମୀର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମହାନବମୀ ଅବସରରେ ଦେବୀଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା, ପୁଷ୍ପାଞ୍ଜଳି, ଚଣ୍ଡୀପାଠ, ହୋମଯଜ୍ଞ ଓ ଆଳତି ଆଦି ଧାର୍ମିକ ରୀତିନୀତିର ବିଶେଷ ମହତ୍ତ୍ୱ ରହିଛି ।

ଅଧିକ ପଢନ୍ତୁ