ଏଥର ଦୁର୍ଗା ପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଚଳିତ ଦୁର୍ଗା ପୂଜାରେ ଦୁର୍ଗାପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।। ରାଜ୍ୟରେ ଲଗାଣ ବର୍ଷା ଏବଂ ବନ୍ୟାଜନିତ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗାପୂଜାକୁ ଅତି ନିରାଡମ୍ବର ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରାକୃତିକ ଦୁର୍ବିପାକରେ ପ୍ରଭାବିତ ହୋଇଥିବା ଜନସାଧାରଣ ଓ ଚାଷୀମାନଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।ଉତ୍ସବ ମାହୋଲ ଅପେକ୍ଷା ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, କ୍ଷତିପୂରଣ ଆକଳନ ଏବଂ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପ୍ରଶାସନର ପ୍ରାଥମିକତା ହେବା ଦରକାର ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ପ୍ରଭାବିତ ଚାଷୀଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଚଳିତ ବର୍ଷ ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ କୌଣସି ବି ପୂଜା ମଣ୍ଡପକୁ ଯାଇ ଦର୍ଶନ କିମ୍ବା ବୁଲାବୁଲି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ମଣ୍ଡପ ନଯାଇ ମଧ୍ୟ ସେ ମା’ ଜଗଜ୍ଜନନୀଙ୍କ ନିକଟରେ ଓଡ଼ିଶାର କଲ୍ୟାଣ, ସମୃଦ୍ଧି ଏବଂ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି।

ଅଧିକ ପଢନ୍ତୁ