ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଆଗରେ କଠିନ ଚ୍ୟାଲେଞ୍ଜ । ଜେଟ୍ ଲ୍ୟାଗ୍ ସମସ୍ୟା ମଧ୍ୟରେ ଶ୍ରେୟସଙ୍କ ନେତୃତ୍ୱ ଉପରେ ନଜର। ବୁମରା ଓ ପାଣ୍ଡ୍ୟାଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମାତ୍ର ଦିନକର ଅଭ୍ୟାସ ପରେ ଖେଳାଯିବ ପ୍ରଥମ ମୁକାବିଲା। ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଦିନ ୧୨ଟା ୩୦ରେ ଆରମ୍ଭ ହେବ । ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଭାରତର ଦ୍ରୁତ ବୋଲିଂ ଦାୟିତ୍ୱ ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂଙ୍କ ଉପରେ ରହିବ। ତୃତୀୟ ଦ୍ରୁତ ବୋଲର ଭାବେ ପ୍ରିନ୍ସ ଯାଦବଙ୍କୁ ସୁଯୋଗ ମିଳିପାରେ ।ସେହିପରି ଆହତ ସମସ୍ୟାରୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଏହା ଫଳରେ କୁଲଦୀପ ଯାଦବଙ୍କୁ ବାହାରେ ବସିବାକୁ ପଡ଼ିପାରେ । ବ୍ୟାଟିଂରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଓପନିଂ କରିବାର ସମ୍ଭାବନା ରହିଛି । ଇଶାନ କିଶନ, ଶ୍ରେୟସ ଆୟର, ତିଳକ ବର୍ମା ଓ ନମନ ଧୀର ମଧ୍ୟ ଦଳର ବ୍ୟାଟିଂକୁ ମଜବୁତ କରିପାରନ୍ତି । ଶିବମ ଦୁବେ ଓ ନୀତିଶ କୁମାର ରେଡ୍ଡୀଙ୍କ ମଧ୍ୟରୁ କିଏ ସ୍ଥାନ ପାଇବେ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ, ନ୍ୟୁଜିଲାଣ୍ଡ କ୍ରିକେଟ ପ୍ରେମୀ ନିଜ ଘରୋଇ ମାଟିରେ ବିସ୍ଫୋରକ ଓପନର ଫିନ୍ ଆଲେନଙ୍କ ଝଡ଼ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସମସ୍ତ ପ୍ରତିକୂଳତାକୁ ପଛରେ ପକାଇ ଭାରତ ଏହି ପ୍ରଥମ ମୁକାବିଲାରେ କିପରି ଖେଳୁଛି ତାହା ଉପରେ ସମସ୍ତଙ୍କ ନଜର ।
