ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନେଇ ବଡ଼ ଖବର । ବିଶ୍ୱର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ନାଟକରେ ମହାରାଜ କଂସଙ୍କ ଭୂମିକାରେ ଅଭିନୟ କରୁଥିବା ଜଣାଶୁଣା କଳାକାର ସୁଶୀଲ ବିରତି ନେଇଛନ୍ତି । ସେ କଂସଙ୍କ ଭୂମିକାରୁ ଏକ ବର୍ଷ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି।୨୦୨୫-୨୬ରେ ଧନୁଯାତ୍ରା ପାଇଁ ସୁଶୀଲ ମେହେରଙ୍କୁ କଂସ ଭାବେ ଚୟନ କରାଯାଇଥିଲା । ବରଗଡ଼ ଧନୁଯାତ୍ରାର ନିୟମ ଅନୁଯାୟୀ, ଜଣଙ୍କୁ ଥରେ କଂସ ଭାବେ ଚୟନ କରାଗଲେ ସେ ୩ ବର୍ଷ ପାଇଁ ଅଭିନୟ କରିପାରିବେ । କିନ୍ତୁ, ଗୋଟିଏ ଥର କଂସ ଭୂମିକାରେ ଅଭିନୟ ପରେ ସୁଶୀଲ ମେହେର ବିଦାୟ ନେଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ସୁଶୀଲ ମେହେର ନିଜର ନିଷ୍ପତ୍ତି ସମ୍ପର୍କରେ ଏକ ଔପୋଚାରିକ ପତ୍ର ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ପ୍ରଦାନ କରିଛନ୍ତି।ଅଭିନେତା ସୁଶୀଲ ମେହେର ତାଙ୍କ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଗତ ଦିନମାନଙ୍କରେ ତାଙ୍କ ଅଭିନୟ ଏବଂ ବିଭିନ୍ନ ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ତାଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇଛି । ଏହି କ୍ରମାଗତ ମାନସିକ ଚାପ ଓ ଅସ୍ଥିରତା କାରଣରୁ ସେ ଚଳିତ ବର୍ଷ ମହାରାଜ କଂସ ଚରିତ୍ରରେ ଅଭିନୟ କରିବାକୁ ଅକ୍ଷମ ବୋଲି ଜଣାଇଛନ୍ତି।
