ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଏନ୍‌. ଭାସ୍କର ରାଓଙ୍କ ଅଗ୍ରୀମ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ


ରାୟଗଡା, ୨୯/୧୦ : ରାୟଗଡା ଜିଲ୍ଳାର ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ୍‌. ଭାସ୍କର ରାଓଙ୍କୁ ଝଟକା ଲାଗିଛି। ହାଇକୋର୍ଟ ପ୍ରଦାନ କରିଥିବା ଅଗ୍ରୀମ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ଭାସ୍କର ରାଓଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୦ ମସିହାରେ ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ଏହି ହତ୍ୟା ଘଟଣାରେ ଏନ୍‌. ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ସମ୍ପୃକ୍ତି ଥିବା ନେଇ ମୃତକଙ୍କ ପରିବାର, ତାଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ଏବଂ ଆଦିବାସୀ ମହାସଂଘ ଅଭିଯୋଗ କରିଥିଲେ। ଭାସ୍କର ରାଓଙ୍କ ଗିରଫ ଦାବିରେ ରାୟଗଡ଼ାରେ ବିଭିନ୍ନ ସମୟରେ ଆନ୍ଦୋଳନ, ଶୋଭାଯାତ୍ରା ଓ ରାଲି ମଧ୍ୟ ଆୟୋଜିତ ହୋଇଥିଲା। ମାମଲାଟି ଏସ୍‌ଡିଜେଏମ୍‌ କୋର୍ଟରେ ବିଚାରାଧୀନ ଥିବାବେଳେ ଭାସ୍କର ରାଓଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଏହି ପରୱାନାକୁ ଚ୍ୟାଲେଞ୍ଜ କରି ଭାସ୍କର ରାଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ। ତେବେ ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମୃତ ଭାଗିରଥି ମାଣ୍ଡାଙ୍ଗିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାମଲାର ତଥ୍ୟ ଓ ପ୍ରମାଣ ବିଚାର କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶକୁ ଖାରଜ କରିଛନ୍ତି। ଏଥିସହ ଭାସ୍କର ରାଓଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପରେ ମାମଲାଟି ପୁଣି ଚର୍ଚ୍ଚାକୁ ଆସିଥିବାବେଳେ ଏନ୍‌. ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ମାମଲାରେ ଅଭିଯୋଗଗୁଡ଼ିକର ଚୂଡ଼ାନ୍ତ ନିଷ୍ପତ୍ତି ଅଦାଲତଙ୍କ ବିଚାର ପ୍ରକ୍ରିୟା ଉପରେ ନିର୍ଭର କରିବ।

ଅଧିକ ପଢନ୍ତୁ