ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡଅଞ୍ଚଳରେ ବର୍ଷା ଜାରି ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଡ୍ୟାମ୍ର କୌଣସି ଗେଟ୍ ଖୋଲାଯିବ ନାହିଁ। ହୀରାକୁଦ ଜଳଭଣ୍ଡାରରେ ଜଳ ସଂରକ୍ଷଣ ଓ ମହାନଦୀରେ ବନ୍ୟା ଆଶଙ୍କାକୁ ନେଇ ମଧ୍ୟ ନଜର ରଖିଛି ଜଳ ସମ୍ପଦ ବିଭାଗ । ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡ ମହାନଦୀ ଅଞ୍ଚଳରେ ହାରାହାରି ୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଛତିଶଗଡ଼ ସମେତ ଉପରମୁଣ୍ଡରେ ଏବେ ବି ବର୍ଷା ଜାରି ରହିଥିବାରୁ ଜଳସମ୍ପଦ ବିଭାଗ ସ୍ଥିତି ଉପରେ କଡ଼ା ନଜର ରଖିଛି । ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଆସନ୍ତାକାଲି ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ପହଞ୍ଚିବ ।ତେବେ ଜଳଭଣ୍ଡାରରେ ଯେତିକି ପରିମାଣର ଜଳ ପ୍ରବେଶ କରିବ, ତାହାକୁ ସଂରକ୍ଷିତ କରି ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୭ ଫୁଟ୍ ରହିଛି । ଏହାର ଅର୍ଥ ଜଳଭଣ୍ଡାରରେ ଆହୁରି ୩ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ପାଣି ରଖିବାର କ୍ଷମତା ଅଛି । ତେଣୁ ବର୍ତ୍ତମାନ ସ୍ଥିତିରେ ଡ୍ୟାମ୍ ଗେଟ୍ ଖୋଲିବାର କୌଣସି ଆବଶ୍ୟକତା ନାହିଁ। ତେବେ ଆଜି ଯଦି ଅଧିକ ବର୍ଷା ହୁଏ, ତେବେ ଆସନ୍ତା ୧ରୁ ୨ ଦିନ ମଧ୍ୟରେ ପରିସ୍ଥିତିର ସମୀକ୍ଷା କରାଯାଇ ଗେଟ୍ ଖୋଲାଯିବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
