କଣ୍ଟେନର ମାନୁଫାକ୍‌ଚରିଂ ଆସିଷ୍ଟାନ୍ସ ସ୍କିମ୍‌କୁ ମିଳିଳା କ୍ୟାବିନେଟ୍ ମଞ୍ଜୁରୀ

ଦେଶରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ କଣ୍ଟେନର ଉତ୍ପାଦନ ବ୍ୟବସ୍ଥା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବୁଧବାର (୨୮ ଅକ୍ଟୋବର) କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ କଣ୍ଟେନର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (CMPS)କୁ ଅନୁମୋଦନ କରାଯାଇଛି। ଏହି ଯୋଜନା ୨୦୩୯-୪୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ। ଏହା ଉପରେ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସ୍କିମ୍‌ ଦେଶରେ ନୂଆ ନିର୍ମାଣ ୟୁନିଟ୍‌, ପରୀକ୍ଷଣ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବ । ମୋଟାମୋଟି ଭାବେ ଦେଶରେ ଏକ ବିଶ୍ୱସ୍ତରୀୟ କଣ୍ଟେନର ବିନିର୍ମାଣ ଇକୋସିଷ୍ଟମ ସ୍ଥାପନ କରିବା ଏହାର ଉଦ୍ଦେଶ୍ୟ। ଏହି ଯୋଜନା ଅଧିନରେ ଯୋଗ୍ୟ ନିର୍ମାତାମାନେ ସୁଧ ସବସିଡି, ପରିଚାଳନା ଖର୍ଚ୍ଚ ସହାୟତା, ପରୀକ୍ଷଣ ଏବଂ ପ୍ରମାଣପତ୍ର ସହାୟତା ଏବଂ ଜମି ଲିଜ୍ ସହାୟତା ପାଇବେ। ବିବୃତ୍ତି ଅନୁଯାୟୀ ସୁଧ ସବସିଡି ସହାୟତା ପାଇଁ ୮୫୯ କୋଟି ଟଙ୍କା ବରାଦ କରାଯାଇଛି। ଏହା ନୂତନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା କିମ୍ବା ବିଦ୍ୟମାନ ୟୁନିଟ୍ କ୍ଷମତା ବୃଦ୍ଧି କରିବା ପାଇଁ ନିଆଯାଇଥିବା ଯୋଗ୍ୟ ମିଆଦି ଋଣ ଉପରେ ୩% ବାର୍ଷିକ ସୁଧ ସବସିଡି଼ ପ୍ରଦାନ କରିବ।ଭାରତର ରପ୍ତାନି ଦ୍ରୁତ ବେଗରେ ବଢୁଛି । ପ୍ରତିବର୍ଷ ଏହାକୁ ପାଖାପାଖି ୨୦ ଲକ୍ଷ ଖାଲି କଣ୍ଟେନର ଲୋଡ଼ା । ଘରୋଇ ଚାହିଦା ପୂରଣ କରିବା ପାଇଁ ଏହାର ଆମଦାନି କରାଯାଇଥାଏ । ଏହା ଭାରତକୁ ଏହା ପ୍ରତି ସମ୍ବେଦନଶୀଳ କରୁଛି । ଏହା ପଛରେ ୩ଟି ମୁଖ୍ୟ କାରଣ ରହିଛି । ତାହା ହେଲା କଣ୍ଟେନର ଉପଲବ୍ଧତାରେ ବିଶ୍ୱ ବଜାରରେ ଦେଖାଦେଉଥିବା ଅସ୍ଥିରତା, ମାଲ ପରିବହନ ବା ଫ୍ରେଟ୍‌ ଦରରେ ଅଧିକ ଅସ୍ଥିରତା ଏବଂ ଏହା ଯୋଗୁ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହେବା । କଣ୍ଟେନର ବିନିର୍ମାଣ ସ୍କିମ୍‌ର ଉଦ୍ଦେଶ୍ୟ ହେଉଛି ଘରୋଇ ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ।

ଅଧିକ ପଢନ୍ତୁ