ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ନିଜର ରୋମାଣ୍ଟିକ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ। ନିକ ଜୋନାସଙ୍କୁ ବିବାହ କରିବା ପରେ ଆମେରିକାରେ ରହୁଥିବା ପ୍ରିୟଙ୍କା ଏଥର ମଧ୍ୟ କରୱାଚୌଥ ପାଳନ କରିଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ କିଛି ସୁନ୍ଦର ଫଟୋ ଶେୟାର୍ କରିଛନ୍ତି।ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ କରୱାଚୌଥ ପାଳନର ଝଲକ ଦେଖାଇଛନ୍ତି। ଗୋଟିଏ ଫଟୋରେ ସେ ନିଜ ହାତର ମେହେନ୍ଦି ଦେଖାଇଛନ୍ତି, ଯାହା ତାଙ୍କ ଝିଅ ମାଳତୀ ମେରୀ ଲଗାଇ ଦେଇଛନ୍ତି। ମେହେନ୍ଦିରେ ସ୍ବାମୀ ନିକ ଜୋନାସଙ୍କ ନାମର ପ୍ରଥମ ଅକ୍ଷର ‘ଏନ୍’ ସହ ଝିଅ ମାଳତୀ ମେରୀଙ୍କ ନାମର ପ୍ରଥମ ଅକ୍ଷର ‘ଏମ୍ଏମ୍’ ମଧ୍ୟ ରହିଛି।କରୱା ଚୌଥ୍ ପାଳନ ଅବସରରେ ପ୍ରିୟଙ୍କା ଏକ ଲାଲ୍ ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ମୁଣ୍ଡରେ ସମାନ ରଙ୍ଗର ଦୁପଟ୍ଟା ଘୋଡ଼ାଇଥିଲେ। ତାଙ୍କ ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର ଏବଂ କପାଳରେ ଛୋଟ ଲାଲ୍ ବିନ୍ଦି ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା। ଅନ୍ୟପଟେ, ନିକ୍ ଜୋନାସ ଏକ କ୍ରିମ୍ ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଥିଲେ। ଉଭୟଙ୍କ ପାରମ୍ପରିକ ପୋଷାକ ଫଟୋରେ ପର୍ବର ମାହୋଲକୁ ଆହୁରି ଖାସ୍ କରିଥିଲା। ସବୁଠାରୁ ଆକର୍ଷଣୀୟ ଫଟୋରେ ପ୍ରିୟଙ୍କା ଲାଲ ପୋଷାକରେ ସଜେଇ ହୋଇ ଛାତ ଉପରେ ନିକଙ୍କ ସହ କରୱାଚୌଥ ବ୍ରତ ଖୋଲୁଥିବା ଦେଖାଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଏହି ପର୍ବକୁ ପରିବାର ସହ ପାଳନ କରି ପ୍ରିୟଙ୍କା ଭାରତୀୟ ପରମ୍ପରା ପ୍ରତି ନିଜର ଭଲପାଇବା ପ୍ରକାଶ କରିଛନ୍ତି।
