ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ରାନୀ ଡାକୁଆଙ୍କୁ ଦ୍ୱିତୀୟ ପୁରସ୍କାର

ଓଡ଼ଗାଁ, (ଓଡିଶା ଦର୍ପଣ): ନିଜ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇ ନୟାଗଡ଼ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ଦଶମ ଶ୍ରେଣୀ ଛାତ୍ରୀ ରାନୀ ଡାକୁଆ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ନୟାଗଡ଼ ପକ୍ଷରୁ ଆୟୋଜିତ ‘ଯୁବ ମାନସ’ ଆଧାରିତ ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୩ ତାରିଖରେ ନୟାଗଡ଼ସ୍ଥିତ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାନୀ ନିଜର ପ୍ରତିଭା ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।ଆଜି ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟାନନ୍ଦ ନାୟକ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିଭୂରଞ୍ଜନ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ରାନୀଙ୍କ ଏହି ସଫଳତା ପାଇଁ ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପିଣ୍ଟୁ କୁମାର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରାଜକିଶୋର ସାହୁ ଓ ସନ୍ତୋଷ କୁମାର କର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର କୁମାର ସେନାପତି ରାନୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ରାନୀଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଡ଼କ ସୁରକ୍ଷା ସଚେତନତା ଓ ସୃଜନଶୀଳ କାର୍ଯ୍ୟ ପ୍ରତି ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।

ଅଧିକ ପଢନ୍ତୁ