ଇଣ୍ଡି ମେଣ୍ଟର ରାଲି ପାଇଁ ୧୧ ହଜାର କୋଟିର କ୍ଷତି ସହିଲେ ବ୍ୟବସାୟୀ: CTI ଅଧ୍ୟକ୍ଷ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ବିଶାଳ ରାଲିର ଆୟୋଜନ କରିଥିଲା ବିରୋଧୀ ଇଣ୍ଡି ମେଣ୍ଟ । ବିରୋଧୀଙ୍କ ବିଶାଳ ସମାବେଶ ଯୋଗୁଁ, ଦିଲ୍ଲୀର ବ୍ୟବସାୟୀ ବଡ଼ କ୍ଷତି ସହିଛନ୍ତି ।ସିଟିଆଇ ଦାବି ଅନୁଯାୟୀ, ରବିବାର ଦିଲ୍ଲୀରେ ୨୦ରୁ ୨୫ଟି ବଡ଼ ମାର୍କେଟରେ ପାଖାପାଖି ଅଢେଇ ଲକ୍ଷ ଦୋକାନ ବନ୍ଦ ରହିଥିଲା, ଯେଉଁଥିପାଇଁ ପ୍ରାୟ ୧୦,୦୦୦ରୁ ୧୧,୦୦୦ କୋଟି ଟଙ୍କାର କ୍ଷତି ହୋଇଥିବା ଦାବି କରାଯାଇଛି। ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି, ରୢାଲି ହୋଇଥିବା ଆଖପାଖ ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଦୋକାନ ଥିବାବେଳେ ପାଖାପାଖି ୮୦% ଦୋକାନ ବନ୍ଦ ରହିଥିଲା। ଜାତୀୟ ରାଜଧାନୀର ଆଖପାଖ ସହରରୁ ଗ୍ରାହକ, ଯୋଗାଣକାରୀ ଓ ଡିଲରଙ୍କ ଗତିବିଧି ମଧ୍ୟ ରୢାଲି ଯୋଗୁ ପ୍ରଭାବିତ ହୋଇଥିଲା।ସେ ଆହୁରି କହିଛନ୍ତି, ପୁରୁଣା ଓ ମଧ୍ୟ ଦିଲ୍ଲୀର ବଜାରଗୁଡ଼ିକ ଗୋଦାମ ପରିବର୍ତ୍ତେ ଦୈନନ୍ଦିନ ଯୋଗାଣ ଉପରେ ନିର୍ଭର କରନ୍ତି । କିନ୍ତୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବାରୁ ବ୍ୟବସାୟ ହୋଇପାରିଲା ନାହିଁ । ଦୀପାବଳି ଏବଂ ଧନତେରସ ଭଳି ପ୍ରମୁଖ ପର୍ବପର୍ବାଣି ଆଗକୁ ରହିଛି ।  ଯେଉଁ ସମୟରେ ଦୈନିକ ୧୦,୦୦୦ ରୁ ୧୨,୦୦୦ କୋଟି ଟଙ୍କାର କାରବାର ହୋଇଥାଏ, ସେହି ସମୟରେ ଏପରି ସମାବେଶ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ତେବେ ଏହି କ୍ଷତିର ଭରଣା କିଏ କରିବ ବୋଲି ସିଟିଆଇ ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ