UGC ନୂତନ ନିୟମାବଳୀକୁ ବିରୋଧ, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ରାୟଗଡ଼ା:UGCର ନୂତନ ନିୟମାବଳୀକୁ ନେଇ ବଢ଼ିଲା ବିବାଦ। ପ୍ରସ୍ତାବିତ ନିୟମରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ଆଇନଗତ ସୁରକ୍ଷା ମିଳୁନଥିବା ଅଭିଯୋଗ କରିଛି ରାୟଗଡ଼ା ଜିଲ୍ଲା ବ୍ରାହ୍ମଣ ସମାଜ। ଏହାର ପ୍ରତିବାଦରେ ନିୟମାବଳୀ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ସ୍ମାରକପତ୍ର। ସଂଗଠନର ଅଭିଯୋଗ ଅନୁଯାୟୀ, UGCର ନୂତନ ନିୟମାବଳୀରେ ଜାତିଗତ ଭେଦଭାବର ସଂଜ୍ଞାକୁ କେବଳ ଏସସି, ଏସଟି ଓ ଓବିସି ବର୍ଗ ମଧ୍ୟରେ ସୀମିତ ରଖାଯାଇଛି। ଫଳରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ସମାନ ଆଇନଗତ ସୁରକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ରହିଥିବା କହିଛି ସମାଜ। ଏହାସହ ମିଥ୍ୟା ଅଭିଯୋଗକୁ ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ଙ୍କ ମଧ୍ୟରେ ଭୟ ଏବଂ ମାନସିକ ଚାପ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ପ୍ରକାଶ କରିଛି ସଂଗଠନ। ତେଣୁ ଏହି ନିୟମାବଳୀକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ନଚେତ୍ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ସୁରକ୍ଷା ଦେବା ଲାଗି ଆବଶ୍ୟକ ସଂଶୋଧନ କରାଯାଉ ବୋଲି ଦାବି କରିଛି ରାୟଗଡ଼ା ଜିଲ୍ଲା ବ୍ରାହ୍ମଣ ସମାଜ। ଏହି ଅବସରରେ ସଂଗଠନର ସଭାପତି ମଦନ ପାଢ଼ୀଙ୍କ ସମେତ ସୋମନାଥ ପାଢ଼ୀ, ଅନନ୍ତ ଚରଣ ପାଢ଼ୀ, ସୂର୍ଯ୍ୟରାମ ହୋତା, ବିଜୟ କୁମାର ଦୀକ୍ଷିତ ଓ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ