ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରି ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରି ବନ୍ୟା ବିପନ୍ନ ପରିବାର ଓ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ ।ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ଗତ ଅକ୍ଟୋବର ୨୩ ତାରିଖରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ବନ୍ୟା ପରିସ୍ଥିତି ଏବଂ ଏହାର ପରବର୍ତ୍ତୀ ସ୍ଥିତି ଉପରେ ନିରନ୍ତର ନଜର ରଖିଥିଲେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ବେଳେ ନବୀନ ନିବାସରେ ଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପରିସ୍ଥିତି, ବିଶେଷକରି ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ସ୍ଥିତି ଉପରେ ନଜର ରଖାଯାଇଥିଲା ।ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିସ୍ତୃତ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ଶ୍ରୀଯୁକ୍ତ ପଟ୍ଟନାୟକ ୭ ନଭେମ୍ୱର ୨୦୨୬ ତାରିଖ ସକାଳ ୧୦ଟା ୦୫ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟରରେ ଯାଇ ଶେରଗଡ଼ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ସକାଳ ୧୧ଟାରେ ପହଞ୍ଚିବେ । ସକାଳ ୧୧ଟା ୧୦ ମିନିଟ୍ରେ ଶେରଗଡ଼ ସହର ଓ ଏହାର ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ଏହାପରେ ଦିନ ୧୨ଟା ୦୫ ମିନିଟ୍ରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ରେ ପହଞ୍ଚିବେ । ୧୨ଟା ୧୫ ମିନିଟ୍ରେ ସେ ନୂଆ-ବୁରୁପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରିବେ । ଦିନ ୧ଟା ୨୦ ମିନିଟ୍ରେ ସେ ଆସିକା ସାଇନ୍ସ କଲେଜ ନିକଟସ୍ଥ କୋଟିନଡ଼ାରେ ପହଞ୍ଚିବେ । ଦିନ ୧ଟା ୩୦ ମିନିଟ୍ରେ ଆସିକା ସହର ଓ ଏହାର ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଦିନ ୨ଟା ୩୦ ମିନିଟ୍ରେ ସୋରଡ଼ା ବ୍ଲକର ଟାଟାବାଲିସ୍ଥିତ କନ୍ଧୁଣୀଦେବୀ ପଡ଼ିଆରେ ପହଞ୍ଚିବେ । ଦିନ ୨ଟା ୪୦ ମିନିଟ୍ରେ ସେ ବାଲିଗୋଛା ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ଓ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିବେ । ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୪ଟା ୧୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
