
ନୟାଗଡ଼,(ଓଡ଼ିଶା ଦର୍ପଣ): ପବିତ୍ର କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ସାଧାରଣ ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦଶପଲ୍ଲା–ପୁରୀ ମେମୁ ଟ୍ରେନ୍ରେ ଅତିରିକ୍ତ ବଗି ସଂଯୋଗ ଅଥବା ସ୍ୱତନ୍ତ୍ର କାର୍ତ୍ତିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଇବାକୁ ଦାବି କରିଛି ନୟାଗଡ଼ ନାଗରିକ ମଞ୍ଚ ।
ଏ ସମ୍ପର୍କରେ ନାଗରିକ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ସମେତ ଉପସଭାପତି ପ୍ରଦୀପ କୁମାର ସାହୁ ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ, କୈଳାସ ଚନ୍ଦ୍ର ରଥ, ସୁରେନ୍ଦ୍ର କୁମାର ପ୍ରଧାନ, ଉମାକାନ୍ତ ମିଶ୍ର, ଦେବରାଜ ପଣ୍ଡା ପ୍ରମୁଖ ଆଜି ପୂର୍ବାହ୍ନରେ ନୟାଗଡ଼ ଟାଉନ୍ ଷ୍ଟେସନ୍ରେ ପହଞ୍ଚି ଷ୍ଟେସନ୍ ପରିଚାଳକ ପ୍ରତାପ ଚନ୍ଦ୍ର ସାହୁଙ୍କ ଜରିଆରେ ଖୋର୍ଦ୍ଧା ରୋଡ୍ ଡିଭିଜନ୍ର ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆର୍ଏମ୍)ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, କାର୍ତ୍ତିକ ମାସରେ ପୁରୀ ଯାତ୍ରା କରୁଥିବା ଭକ୍ତ ଓ ଯାତ୍ରୀଙ୍କ ସଂଖ୍ୟା ବହୁଗୁଣିତ ହେଉଥିବା ବେଳେ ଟ୍ରେନ୍ରେ ଥିବା ବର୍ତ୍ତମାନର ବଗି ସଂଖ୍ୟା ଯାତ୍ରୀଙ୍କ ଚାହିଦା ପୂରଣ କରିବାରେ ଅସମର୍ଥ ହେଉଛି। ଫଳରେ ବୃଦ୍ଧବୃଦ୍ଧା, ମହିଳା ଓ ସାଧାରଣ ଯାତ୍ରୀ ଅତ୍ୟନ୍ତ ଭିଡ଼ ମଧ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ଚାଲୁଥିବା ଦଶପଲ୍ଲା–ପୁରୀ ମେମୁ ଟ୍ରେନ୍ରେ ତୁରନ୍ତ ଅତିରିକ୍ତ ବଗି ସଂଯୋଗ କରିବା ସହିତ ଆବଶ୍ୟକ ସ୍ଥଳେ ଭିଡ଼ ସମୟରେ ସ୍ୱତନ୍ତ୍ର କାର୍ତ୍ତିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଇବାକୁ ଫୋରମ୍ ଦାବି କରିଛି।
ଜନସାଧାରଣଙ୍କ ଯାତାୟାତ ସୁବିଧା ଓ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦେଇ ରେଳ ବିଭାଗ ତୁରନ୍ତ ଏହି ଦାବି ପ୍ରତି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ନୟାଗଡ଼ ସିଟିଜେନ୍ସ ଫୋରମ୍ ଅନୁରୋଧ କରିଛି।
