ଓଡ଼ିଶାର ୭୪ ଗାଁ ପାଇଁ ୬୨୫ କୋଟିର ୫ଟି ଜଳ ସଂରକ୍ଷଣ ପ୍ରକଳ୍ପକୁ ମଞ୍ଜୁରୀ

ଗ୍ରୀଷ୍ମ ଋତୁରେ ଆଉ ପାଣି ପାଇଁ ହନ୍ତସନ୍ତ ହେବେ ନାହିଁ ଓଡ଼ିଶାର ୭୪ଟି ଗାଁର ଲୋକେ। ଗାଁ ଗାଁରେ ପାନୀୟ ଜଳର ଉପଲବ୍ଧତା ବଢ଼ାଇବା ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ରାଜ୍ୟ ସରକାର ୬୨୫ କୋଟି ୪୭ ଲକ୍ଷ ଟଙ୍କାର ୫ଟି ଜଳ ସଂରକ୍ଷଣ ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ଦେଇଛନ୍ତି। ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ଉପକୃତ ହେବେ।ଏହି ପାଞ୍ଚଟି ପ୍ରକଳ୍ପ ମଧ୍ୟରେ ରାୟଗଡ଼ା ଜିଲ୍ଲାର ବଂଶଧାରା ନଦୀ ଉପରେ ଧୁଆଁପଦର ଏବଂ ନାଗାବଳୀ ନଦୀ ଉପରେ ରେବତୀଗୁଡ଼ା ଆଇଏସ୍ଏସ୍, ଗଞ୍ଜାମ ଜିଲ୍ଲାର ବାହୁଦା ନଦୀ ଉପରେ ଭୀମପୁର ଆଇଏସ୍ଏସ୍, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ନିଝରିଦରା ଗ୍ରାମ ନିକଟରେ ମୁରଲୀଯୋର ଆଇଏସ୍ଏସ୍ ଏବଂ ମହାନଦୀର ପ୍ରମୁଖ ଉପନଦୀ ଅଙ୍ଗ ନଦୀ ଉପରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଲୋକଙ୍କ ପାଇଁ କୁଟାସିଂହା ବ୍ୟାରେଜ୍ ଅନ୍ତର୍ଭୁକ୍ତ।

ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବର୍ଷା ଋତୁରେ ନଦୀ ମଧ୍ୟରେ ପ୍ରବାହିତ ଅତିରିକ୍ତ ଜଳକୁ ସଂରକ୍ଷଣ କରାଯାଇ ଗ୍ରୀଷ୍ମ ଋତୁ ତଥା ଅଣବର୍ଷା ସମୟରେ ଜଳର ଉପଲବ୍ଧତା ବୃଦ୍ଧି କରାଯାଇପାରିବ।କେବଳ ପାନୀୟ ଜଳ ନୁହେଁ, ଏହି ପ୍ରକଳ୍ପ ଦ୍ୱାରା ଛୋଟ ଚାଷ ଜମିକୁ ଜଳସେଚନ, ପଶୁପାଳନ ଓ ଗ୍ରାମୀଣ ଜୀବିକାକୁ ମଧ୍ୟ ସହାୟତା ମିଳିବ। ବିଶେଷକରି ଧୁଆଁପଦର, ମୁରଲୀଯୋର ଓ ରେଭତୀଗୁଡ଼ା ପ୍ରକଳ୍ପ ଅଞ୍ଚଳରେ ମାଛ ଚାଷ ଓ ଜଳକୃଷିର ନୂଆ ସୁଯୋଗ ସୃଷ୍ଟି ହେବ।

ଅଧିକ ପଢନ୍ତୁ