ଜୟଶଙ୍କରଙ୍କ ବଡ଼ ଘୋଷଣା;ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଖୁବଶୀଘ୍ର

ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଅଧିକାଂଶ ପ୍ରସଙ୍ଗର ସମାଧାନ ହୋଇସାରିଛି। ଅବଶିଷ୍ଟ କେତେକ ପ୍ରସଙ୍ଗର ସମାଧାନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଖୁବଶୀଘ୍ର ଏହି ଚୁକ୍ତି ଚୂଡ଼ାନ୍ତ ହୋଇପାରେ ବୋଲି ଶନିବାର କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।ଏକ ରିପୋର୍ଟ ଅନୁସାରେ, ଜୟଶଙ୍କର କହିଛନ୍ତି ଯେ ଉଭୟ ଦେଶ ପାଇଁ ଲାଭଦାୟକ ଓ ସନ୍ତୁଳିତ ବାଣିଜ୍ୟ ଚୁକ୍ତି କରିବା ହେଉଛି ଲକ୍ଷ୍ୟ। ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ରହିଛି । ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଏହି ପ୍ରସଙ୍ଗରେ ନିୟମିତ ଆଲୋଚନା ହେଉଥିବା ସେ କହିଛନ୍ତି । ଜୟଶଙ୍କରଙ୍କ କହିବା ଅନୁସାରେ, ଅଧିକାଂଶ ବିଷୟରେ ସହମତି ହୋଇସାରିଛି। ବାକି ରହିଥିବା କିଛି ପ୍ରସଙ୍ଗରେ ଆମେରିକା ପକ୍ଷରୁ ଅଧିକ ପରିବର୍ତ୍ତନ ଆବଶ୍ୟକ ରହିଛି। ତେଣୁ ଏହି ଚୁକ୍ତି ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଭାରତ ଆଶା ରଖିଛି।ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖରେ ମିଆମିଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ପରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ଗତ ମାସରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମୁମ୍ବାଇରେ କହିଥିଲେ ଯେ, ଦୁଇ ଦେଶ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବାର ଖୁବ୍ ନିକଟତର ହୋଇଛନ୍ତି। ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ନେଇ ଭାରତ ଓ ଆମେରିକା ୨୦୨୫ ଆରମ୍ଭରୁ ଆଲୋଚନା ଜାରି ରଖିଛନ୍ତି। ଏହି ଚୁକ୍ତିର ଉଦ୍ଦେଶ୍ୟ ହେଉଛି ଶୁଳ୍କ ସମ୍ପର୍କିତ ବିବାଦର ସମାଧାନ, ଅଣ-ଶୁଳ୍କ ପ୍ରତିବନ୍ଧକ ଦୂର କରିବା ଏବଂ ଦୁଇ ଦେଶ ମଧ୍ୟରେ ବଜାର ପ୍ରବେଶକୁ ଅଧିକ ସୁଗମ କରିବା। ଆମେରିକା ବଜାରରେ ଭାରତୀୟ ସାମଗ୍ରୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ତୁଳନାରେ ଅଧିକ ଅନୁକୂଳ ଶୁଳ୍କ ବ୍ୟବସ୍ଥା ଭାରତ ଚାହୁଁଛି।

ଅଧିକ ପଢନ୍ତୁ