ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁସ୍ଥିତ ତାଙ୍କର ପ୍ରସିଦ୍ଧ ବଙ୍ଗଳା ‘ଜଲସା’ର ମାଲିକାନାକୁ ନେଇ ଉଠିଛି ପ୍ରଶ୍ନ। ଅମିତାଭଙ୍କ ଭାଇ ଅଜିତାଭ ବଚ୍ଚନଙ୍କ ପତ୍ନୀ ରମୋଲା ବଚ୍ଚନ ୧୯୯୩ ମସିହାର ଏକ ଗିଫ୍ଟ ଡିଡକୁ ଚ୍ୟାଲେଞ୍ଜ କରିଛନ୍ତି। ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଆଇନଗତ ଶୁଣାଣି। ରିପୋର୍ଟ ଅନୁସାରେ, ରମୋଲାଙ୍କ ଦାବି ହେଉଛି ଯେ, ଜଲ୍ସା ବଙ୍ଗଳା ପ୍ରଥମେ ତାଙ୍କ ନାମରେ ପଞ୍ଜିକୃତ ଥିଲା । ପରେ ୧୯୯୩ର ଦାନପତ୍ର ମାଧ୍ୟମରେ ଏହାକୁ ଜୟା ବଚ୍ଚନଙ୍କ ନାମକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହି ଦସ୍ତାବିଜ୍ କିପରି ପ୍ରସ୍ତୁତ ହୋଇଥିଲା, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।ତାଙ୍କ ଅଭିଯୋଗ ଅନୁସାରେ, ଦାନପତ୍ରଟି ଷ୍ଟାମ୍ପ ପେପର ବଦଳରେ ସାଧାରଣ କାଗଜରେ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ସେତେବେଳେ ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦିଆଯାଇ ନଥିଲା। ଏପରିକି ଦସ୍ତାବିଜ୍ରେ ସାକ୍ଷୀଙ୍କ ଦସ୍ତଖତ ନଥିବା ମଧ୍ୟ ସେ ଦର୍ଶାଇଛନ୍ତି। ୧୯୯୩ରେ ପ୍ରସ୍ତୁତ ଏହି ଦାନପତ୍ର ୨୦୦୬ରେ ପଞ୍ଜିକୃତ ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ମହାରାଷ୍ଟ୍ର ସରକାରଙ୍କ ‘ଅଭୟ ଯୋଜନା’ ଅଧୀନରେ ଏହାକୁ ପରବର୍ତ୍ତୀ ସମୟରେ ନିୟମିତ କରାଯିବା ପ୍ରକ୍ରିୟାକୁ ମଧ୍ୟ ରମୋଲା ଚ୍ୟାଲେଞ୍ଜ କରିଛନ୍ତି।
ଏହି ବିବାଦର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ମାଲିକାନା ସମ୍ପର୍କିତ ରେକର୍ଡରେ ଥିବା ଅସଙ୍ଗତି। କପୋଲ ହାଉସିଂ ସୋସାଇଟିର ରେକର୍ଡରେ ଜୟା ବଚ୍ଚନଙ୍କ ନାମ ମାଲିକ ଭାବେ ରହିଛି। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ପ୍ରପର୍ଟି କାର୍ଡରେ ଏବେବି ରମୋଲାଙ୍କ ନାମ ରହିଛି। ସରକାରୀ ରେକର୍ଡରୁ ତାଙ୍କ ନାମ ହଟାଇ ଜୟାଙ୍କ ନାମ ଯୋଡ଼ିବାକୁ ଉଦ୍ୟମ ହେବା ପରେ ବିବାଦ ପୁଣି ତେଜିଥିବା ଜଣାପଡ଼ିଛି।
