ଆଜି ପବିତ୍ର ଅଁଳା ନବମୀ,ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ପାଇଁ ଭିଡ଼

ଆଜି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳରେ ଦୁର୍ଲଭ ରାଧାପାଦ ଦର୍ଶନ । ବର୍ଷକରେ ଥରେ ମା’ ରାଧାରାଣୀଙ୍କ ଶ୍ରୀପାଦ ଦର୍ଶନର ସୁଯୋଗ । ପୁରୀ ଜିଲ୍ଲା ସତ୍ୟବାଦୀର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ହେଉଛି ଦୁର୍ଲଭ ରାଧାପାଦ ଦର୍ଶନ।ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ ।ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପାଳିତ ହୁଏ ଏହି ସ୍ୱତନ୍ତ୍ର ପରମ୍ପରା। ବର୍ଷସାରା ମା’ ରାଧାରାଣୀଙ୍କ ପାଦ ବସ୍ତ୍ରରେ ଆବୃତ ରହୁଥିବାବେଳେ କେବଳ ଅଁଳା ନବମୀ ଦିନ ଭକ୍ତମାନେ ଶ୍ରୀପାଦ ଦର୍ଶନ କରିଥାନ୍ତି। ସେପଟେ ନଟବର ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ସେବାୟତ ପରମ୍ପରା ଅନୁଯାୟୀ, ସେବାୟତ ପରିବାରର ଜଣେ ଝିଅ ଆଜି ମା’ ରାଧାଙ୍କ ରୂପ ଧାରଣ କରିଛନ୍ତି । ରାତି ୧ଟାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିସାରିଲେଣି । ଧୀରେ ଧୀରେ ବଢ଼ୁଛି ଭକ୍ତଙ୍କ ଗହଳି ।ଅନ୍ୟପଟେ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୩ ପ୍ଲାଟୁନ୍ ପୋଲିସ ମୁତୟନ ସହ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍, ଟ୍ରାଫିକ୍ ପରିଚାଳନା ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

ଅଧିକ ପଢନ୍ତୁ