ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଧମକ; ମୁମ୍ବାଇ ପୋଲିସର ତଦନ୍ତ ଆରମ୍ଭ

ବଲିଉଡ୍ ଷ୍ଟାରଙ୍କୁ ଧମକ ମିଳିବା ଘଟଣା ଥମିବାର ନାଁ ନେଉନାହିଁ। ଅମିତାଭ ବଚ୍ଚନ, ତୁଷାର କପୁର ଓ ଆୟୁଷ୍ମାନ ଖୁରାନାଙ୍କ ପରେ ଏବେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସ ଅନୁସାରେ, ରାଜନେତା ବାବା ସିଦ୍ଦିକି ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ଜିଶାନ ଅଖତର ସୈଫ ଅଲ୍ଲୀ ଖାନଙ୍କୁ ଧମକ ଦେଇଥିବା ସନ୍ଦେହ କରାଯାଉଛି । ଖବର ମିଳିବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।ବାବା ସିଦ୍ଦିକିଙ୍କର ବଲିଉଡ୍ କଳାକାରଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା । ସେ ପ୍ରତିବର୍ଷ ନିଜର ଇଫତାର ପାର୍ଟିକୁ ସଲମାନ ଖାନ୍, ଶାହରୁଖ ଖାନଙ୍କ ସମେତ ଅନେକ ଫିଲ୍ମ ଓ ଟିଭି କଳାକାରଙ୍କୁ ନିମନ୍ତ୍ରଣ କରୁଥିଲେ । ୨୦୨୪ ଅକ୍ଟୋବର ୨୪ ତାରିଖରେ ମୁମ୍ବାଇର ବାନ୍ଦ୍ରାଠାରେ ବାବା ସିଦ୍ଦିକିଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ ନିଜ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଥିବାବେଳେ ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ଗୁଳି ହୋଇଥିଲା ।
ଏହି ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇ, ମହମ୍ମଦ ୟାସିନ ଅଖତର ଓରଫ ଜିଶାନ ଅଖତର ଏବଂ ଶୁଭମ ଲୋଙ୍କରଙ୍କୁ ମୁଖ୍ୟ ଫେରାର ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି । ଏବେ ସୈଫଙ୍କୁ ମିଳିଥିବା ଧମକ ଘଟଣାରେ ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାଁ ସାମ୍ନାକୁ ଆସିଛି ।ସୈଫ୍ ଅଲ୍ଲୀ ଖାନ୍ ଗତବର୍ଷ ଜାନୁଆରୀରେ ନିଜ ଘରେ ଛୁରି ଆକ୍ରମଣର ଶିକାର ହୋଇଥିଲେ। ଚୋରି ଉଦ୍ଦେଶ୍ୟରେ ଘରେ ପଶିଥିବା ଜଣେ ଅଭିଯୁକ୍ତଙ୍କ ସହ ଧସ୍ତାଧସ୍ତି ସମୟରେ ତାଙ୍କୁ ଛୁରିରେ ଆକ୍ରମଣ କରାଯାଇଥିଲା। ରାତି ପ୍ରାୟ ୨ଟାରେ ଘଟିଥିବା ଏହି ଘଟଣା ପରେ ସୈଫ୍‌ଙ୍କୁ ଅଟୋରିକ୍ସାରେ ହସ୍ପିଟାଲ୍ ନିଆଯାଇଥିଲା। ପରେ ଏହି ଆକ୍ରମଣ ମାମଲାର ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।ଏବେ ପୁଣିଥରେ ସୈଫ୍‌ଙ୍କୁ ଧମକ ମିଳିଥିବା ଖବର ପରେ ତାଙ୍କ ସୁରକ୍ଷା ଓ ଧମକର ଉତ୍ସକୁ ନେଇ ତଦନ୍ତ ଜାରି ରହିଛି।

ଅଧିକ ପଢନ୍ତୁ