ଓଡ଼ିଶା ମାଟି ତଳେ ରହିଛି ମହଣ ମହଣ ସୁନା । କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ୩୩ କ୍ବିଣ୍ଟାଲରୁ ଅଧିକ ସୁନା ମହଜୁଦ ଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥା ଅନୁସନ୍ଧାନ କରିଛନ୍ତି । ୨୦୨୬ ଏପ୍ରିଲ୍ ୧ ସୁଦ୍ଧା ମିଳିଥିବା ବିଭିନ୍ନ ଖଣିଜ ପଦାର୍ଥର ପରିମାଣ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ।ମନ୍ତ୍ରୀ କହିଛନ୍ତି, “ବିଭିନ୍ନ ଖଣିଜ ପଦାର୍ଥର ଅନୁସନ୍ଧାନ କାର୍ଯ୍ୟ ସମାପ୍ତ ହେଲା ପରେ ଖଣିଜ ସମ୍ପଦର ଉପସ୍ଥିତି, ଗୁଣବତ୍ତା ଓ ଉପଲବ୍ଧ ପରିମାଣ ଆକଳନ କରି ବୈଷୟିକ ଦୃଷ୍ଟିକୋଣକୁ ଅନୁଧ୍ୟାନ କରାଯାଇ ଖଣିଜ ପଦାର୍ଥ ଉତ୍ତୋଳନ ନିମନ୍ତେ ବିହିତ ପଦକ୍ଷେପ ନିଆଯିବ ।”ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳରେ ସୁନା ସହିତ ତମ୍ବା, ଗ୍ରାଫାଇଟ୍, ରୂପା ଓ ନିକେଲର ସନ୍ଧାନ ମିଳିଛି। ଅନ୍ୟପଟେ ଦେବଗଡ଼ ଓ ସୁନ୍ଦରଗଡ଼ରେ ୨ ଦଶମିକ ୩୮୭ ମେଟ୍ରିକ୍ ଟନ୍ ରୁପା ଏବଂ କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟର ମିଳିଛି ସନ୍ଧାନ ।
