କାହିଁକି ପାଳନ କରାଯାଏ ପଞ୍ଚୁକ?

ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ (ସାଧାରଣତଃ ବଡ଼ ଏକାଦଶୀରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ) ପଞ୍ଚୁକ କୁହାଯାଏ ଏବଂ ଭକ୍ତି, ସଂଯମ ଓ ଆଧ୍ୟାତ୍ମିକ ଶୁଦ୍ଧତା ପାଇଁ ଏହା ପାଳନ କରାଯାଏ। ଯେଉଁମାନେ ମାସସାରା କାର୍ତ୍ତିକ ବ୍ରତ ବା ହବିଷ ପାଳନ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳନ କରି ପୁଣ୍ୟ ଅର୍ଜନ କରନ୍ତି।ଧାର୍ମିକ ବିଶ୍ୱାସ ଅନୁସାରେ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଓ ଭଗବାନ ଜଗନ୍ନାଥଙ୍କ ପୂଜା ପାଇଁ ଅତ୍ୟନ୍ତ ଶୁଭ ମାସ । ଏହି ମାସରେ ଭକ୍ତମାନେ ବ୍ରତ ପାଳନ କରିବା ସହ ସକାଳୁ ଉଠି ସ୍ନାନ କରନ୍ତି ଏବଂ ଦୀପ ଜାଳି ଠାକୁରଙ୍କୁ ପୂଜା କରନ୍ତି । ବିଶେଷ କରି ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ ପଞ୍ଚୁକରେ ଧାର୍ମିକ କାର୍ଯ୍ୟର ମହତ୍ତ୍ୱ ଆହୁରି ବଢ଼ିଯାଏ । ଏହି ସମୟରେ ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ ପାଇଁ ପ୍ରାର୍ଥନା କରନ୍ତି । ପଞ୍ଚୁକର ସବୁଠାରୁ ବଡ଼ ଆକର୍ଷଣ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଞ୍ଚଟି ସ୍ୱତନ୍ତ୍ର ବେଶ । ଏହି ପାଞ୍ଚ ଦିନରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ, ଦ୍ୱିତୀୟ ଦିନରେ ବାଙ୍କଚୂଡ଼ ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନାରାୟଣ ବେଶ ଏବଂ ପଞ୍ଚମ ଦିନରେ ରାଜାଧିରାଜ ବା ସୁନାବେଶ ହୋଇଥାଏ । ଏହି ମନୋରମ ବେଶ ଦର୍ଶନ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ।ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତମାନେ ଡଙ୍ଗା ଭସାଇ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରନ୍ତି।। କଦଳୀ ପଟୁକା ଓ କାଗଜରେ ତିଆରି ଡଙ୍ଗାରେ ଦୀପ ଜାଳି ଭସାଇବାର ପରମ୍ପରା ରହିଛି । ତେବେ ପଞ୍ଚୁକ କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ପରିଚୟ ।

ଅଧିକ ପଢନ୍ତୁ